ରହସ୍ୟ ଘେରରେ ଟିକାତାଳ ଓ ନିରାକାରପୁର ହତ୍ୟାକାଣ୍ଡ

ଅପରାଧ
  • 2018-10-27 09:26:37
  • 474

କାନଭାସ୍ ଓଡିଶା(ବ୍ୟୁରୋ) : ହତ୍ୟାକାଣ୍ଡ ଘଟୁଛି । ହତ୍ୟାକାରୀର ସୁରାକ ପାଇ ପାରୁନି ପୋଲିସ । ଦୁଇ ଦୁଇଟି ମର୍ଡର କରି ପୋଲିସ ଆଖିରେ ଧୁଳି ଦେଇ ଫେରାର ହେଇଯାଉଛନ୍ତି ହତ୍ୟାକାରୀ । ଏପଟେ ପୋଲିସ କହୁଛି ହତ୍ୟାକାରୀ ଖୁବ୍ ଶିଘ୍ର ଧରାହେବେ । ଖୋର୍ଦ୍ଧାଜିଲ୍ଲା ଥାନା ପାଲଟିଛି ଅନ୍ୟ ଥାନାର ହତ୍ୟାକାରୀଙ୍କ ସୁରକ୍ଷିତ ସ୍ଥାନ । ବେଗୁନିଆ ଥାନା ଅନ୍ତର୍ଗତ ଟିକାତାଳ ହତ୍ୟାକାଣ୍ଡର ମହିଳା ଜଣକଙ୍କ ପରିଚୟ ମିଳିଥିବା ବେଳେ ନିରାକାରପୁର ଥାନା ଅଞ୍ଚଳରୁ ଯେଉଁ ଯୁବତୀଙ୍କୁ ବଳାତ୍କାର ପରେ ମୁହଁକୁ ପଥରରେ ଛେଚି ହତ୍ୟା କରାଯିବା ପରେ ଚିତ୍ରକୁଟ ପାହାଡର ପାଦ ଦେଶରେ ଥିବା ରାଉଳହଜ ପଥର ଖଣିରେ ମୃତଦେହ ଫୋପାଡି ଦେବା ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଧରିବାରେ ଅସଫଳ ହୋଇଛି ଖୋର୍ଦ୍ଧା ପୋଲିସ । ଅପରପକ୍ଷରେ ମୃତ ଯୁବତୀଙ୍କ ପରିଚୟ ମଧ୍ୟ ପୋଲିସ ପାଇ ପାରିନାହିଁ । ଏହାକୁ ନେଇ ଖୋର୍ଦ୍ଧା ଜିଲ୍ଲାରେ ଜନସାଧାରଣଙ୍କ ମନରେ ଅସନ୍ତୋଷ ଦେଖାଦେଇଛି । ଏପଟେ ବେଗୁନିଆ ଟିକାତାଳରୁ ଉଦ୍ଧାର ହୋଇଥିବା ମହିଳାଙ୍କ ଅପରାଧିକୁ ତୁରନ୍ତ ଗିରଫ କରାଯିବା ନେଇ ପୋଲିସ ଉପରେ ପଡୁଛି ହେଭି ପ୍ରେସର । ମୁଖ୍ୟମନ୍ତ୍ରୀଙ୍କ ଏରିଆରେ ଦିପ୍ତୀମୟୀ ବସବାସ କରୁଥିବାରୁ ମୁଖ୍ୟମନ୍ତ୍ରୀବି କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇ ସାରିଛନ୍ତି । ତେବେ ରହସ୍ୟମୟ ଭିତରେ ଦିପ୍ତୀମୟୀଙ୍କ ହତ୍ୟାକାରୀକୁ ଖୋଜୁଛି ପୋଲିସ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ନିଦ ହଜି ଯାଇଛି ପୋଲିସ ଆଖିରୁ । ଛାନଭିନ କରୁଛି ପଳାସପଲ୍ଲୀ ଅଞ୍ଚଳ ଭିତରେ ହେଲେ ଟିକେବି ସୁରାକ ପାଇ ପାରୁନି ପୋଲିସ । ପୁଣି ୧୦ ଦିନର ସମୟ ମାଗିଛି ପୋଲିସ । ଏପଟେ ପଳାସପଲ୍ଲୀ ବାସିନ୍ଦା ପୁଣିଥରେ ପଳାସପଲ୍ଲୀ ଛକ ସହ ନବୀନ ନିବାସ ଘେରାଉ ପାଇଁ ଆନ୍ଦୋଳନ କରିବାକୁ ଚେତାବନୀ ଦେଇ ସାରିଲେଣି । ଅନ୍ୟପଟେ ନିରାକାରପୁର ଥାନା ଅଞ୍ଚଳରେ ଘଟିଯାଇଥିବା ହତ୍ୟାକାଣ୍ଡକୁ ନେଇ ଖୋର୍ଦ୍ଧା ଜିଲ୍ଲା ଜନଜାଗରଣ ମହାମେଣ୍ଟ ତରଫରୁ ସଭାପତି ବିପିନ କୁମାର ଜୟସିଂହଙ୍କ ନେତୃତ୍ୱରେ ଶହ ଶହ ସଦସ୍ୟମାନେ ରାମେଶ୍ୱର ଛକରୁ ଆସି ନିରାକାରପୁର ଥାନା ପରିସରରେ ପୋଲିସର ଅପାରଗତା ନେଇ ଏକ ପ୍ରତିବାଦ ସଭା କରିଥିଲେ । ଥାନା ଆଇଆଇସି କବିତା ସାହୁଙ୍କୁ ଏକ ଦାବିପତ୍ର ପ୍ରଦାନ କରିବା ସହ ହତ୍ୟାକାରୀ ଗିରଫ ସହ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିବାକୁ ୭ଦିନର ସମୟ ଦେଇଛି । ଯଦି ଅଭିଯୁକ୍ତ ମାନଙ୍କୁ ଗିରଫ କରାନଯାଏ ମହାମେଣ୍ଟ ତରଫରୁ ଖୋର୍ଦ୍ଧା ଜିଲ୍ଲାରେ ଏକ ବିରାଟ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦିଆଯାଇଛି । ଏପଟେ ଭାଜପା ମଧ୍ୟ ଅନୁଋପ ଭାବେ ଖୋର୍ଦ୍ଧା ପୋଲିସର ଆଇନଶୃଙ୍ଖଳା ବ୍ୟବସ୍ଥା ବିପଯ୍ୟସ୍ତ ହୋଇପଡିଥିବା ଅଭିଯୋଗ କରିଛି । ମହିଳାଙ୍କ ପ୍ରତି ବଳାତ୍କାର, ଅତ୍ୟାଚାର, ହତ୍ୟାଭଳି ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବା ଅଭିଯୋଗ କରିଛି । ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଅପରାଧୀମାନେ ଗୋଟିଏ ପରେ ଗୋଟିଏ ଅପରାଧ କରିବାକୁ ପଛାଉ ନାହାନ୍ତି । ଗତ ୨୦ତାରିଖରେ ବେଗୁନିଆ ଥାନା ଅନ୍ତର୍ଗତ ଟିକାତାଳ ଗ୍ରାମରୁ ମହିଳାଙ୍କ ତଣ୍ଟିକଟା ମୃତଦେହ ମିଳିବା ଘଟଣାର ୩ଦିନ ପରେ ଅର୍ଥାତ ୨୩ତାରିଖରେ ନିରାକାରପୁର ଅଞ୍ଚଳରେ ଯୁବତୀଙ୍କ ମୁହଁକୁ ପଥରରେ ଛେଚି ନିର୍ମମଭାବେ ହତ୍ୟା କରିଥିବା ଅଭିଯୁକ୍ତଙ୍କ କୈାଣସି ସୁରାକ ପାଇ ପାରିନାହିଁ । ଭାଜପାର ଜିଲ୍ଲା ସଭାପତି ସୁବାସ ଜେନାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଏସପି ଦୀପ୍ତିରଞ୍ଜନ ରାୟଙ୍କୁ ଭେଟି ଦୀର୍ଘ ସମୟ ଧରି ଅଲୋଚନା କରିଥିଲେ । ତେବେ ପ୍ରଥମ ହତ୍ୟାକାଣ୍ଡର ହତ୍ୟାକାରୀଙ୍କ ସମ୍ବନ୍ଧରେ ସୁରାକ ମିଳିସାରିଛି ଏବଂ ଖୁବଶିଘ୍ର ହତ୍ୟାକାରୀ ଗିରଫ କରାଯିବା ନେଇ ପ୍ରସ୍ତୁତି ଚାଲୁ ରହିଥିବା ବେଳେ ଦ୍ୱିତୀୟ ହତ୍ୟାକାଣ୍ଡର ପର୍ଦ୍ଦାଫାଶ ପାଇଁ ସମସ୍ତ ପ୍ରକାର ତଦନ୍ତ ଚାଲୁ ରହିଥିବା ବେଳେ ହତ୍ୟାକାରୀକୁ ଖୁବଶିଘ୍ର ଗିରଫ କରାଯିବ ବୋଲି ଏସପି କହିଥିବା ଭାଜପା ପକ୍ଷରୁ କୁହାଯାଇଛି । REPORT- SHANKAR BEHERA, TANGI ID NO-CO002