ପାର୍ଲାମେଣ୍ଟ ଘେରାଉ କଲା କିଷାନ କ୍ଷେତ ମଜଦୁର କଂଗ୍ରେସ

ଦେଶ ବିଦେଶ
  • 2018-10-24 19:30:05
  • 428

କାନଭାସ୍ ଓଡିଶା(ବ୍ୟୁରୋ) : କେନ୍ଦ୍ର ବିଜେପି ସରକାର ୨୦୧୪ ସାଧାରଣ ନିର୍ବାଚନରେ ଭାରତବର୍ଷର ଚାଷୀମାନଙ୍କ ବିକାଶ ପାଇଁ ଦେଇଥିବା ପ୍ରତିଶୃତି ଶାସନକୁ ଆସିବାର ସାଢେ ୪ ବର୍ଷ ମଧ୍ୟରେ ପାଳନ କରିବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ସ୍ୱାମୀନାଥନ୍ କମିଟି ସୁପାରିଶ ଅନୁଯାୟୀ କୃଷି ଉତ୍ପାଦନ ଖର୍ଚ୍ଚର ଦେଢ ଗୁଣା ଚାଷୀଙ୍କୁ ଦେବା, ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ଏବଂ କୃଷି ସଂଚାର ଯୋଜନା, ଚାଷୀର ଆୟ ଦେଢ଼ଗୁଣା ବୃଦ୍ଧି କରିବା ଦିଗରେ ଅସଫଳ ହୋଇଛନ୍ତି । ଚାଷୀ ଓ ଚାଷର ବିକାଶ ପାଇଁ ସାଢେ ଚାରିବର୍ଷ ଶାସନରେ ଚାଷୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ହୋଇଛି । କେବଳ ଦେଶବାସୀଙ୍କୁ ବହୁ ମିଥ୍ୟା କଥା କହି ଭଣ୍ଡାଇବା ସହିତ କମ୍ପାନୀ ପ୍ରତିରେ ଚାଷୀଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ କୋଟି କୋଟି ଟଙ୍କା ହରିଲୁଟ କରିଛନ୍ତି । ଏହାର ଦୃଢ଼ ପ୍ରତିବାଦରେ ଦଳର ଅଧ୍ୟକ୍ଷ ଶ୍ରୀ ରାହୁଲ ଗାନ୍ଧୀଙ୍କ ନିର୍ଦ୍ଦେଶକ୍ରମେ ରାଷ୍ଟ୍ରୀୟ କିଷାନ କ୍ଷେତ ମଜଦୁର କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ନାନା ପାଟୋଲଜଙ୍କ୍ର ନେତୃତ୍ୱରେ ଆଜି ପାର୍ଲାମେଂଟ ଘେରାଉ ଓ ବିଶାଳ କିଷାନ ର‌୍ୟାଲି ନୂଆଦିଲ୍ଲୀ ସ୍ଥିତ ଯନ୍ତର ମନ୍ତର ଠାରେ ଅନୁଷ୍ଠିତ ହୋଇଥିଲା । ସାଢ଼େ ଚାରି ବର୍ଷରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଚାଷୀଙ୍କ ପାଇଁ କ’ଣ କରିଛନ୍ତି, ତା’ର ଜବାବ ମଗାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି କିଷାନ ସେଲ୍ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶତାଧିକ ଅଗ୍ରଣୀ ଚାଷୀ ନେତୃବୃନ୍ଦ ଅଂଶଗ୍ରହଣ କରିଥିଲେ । ଆୟୋଜତ ବିଶାଳ ଚାଷୀ ସମାବେଶରେ ପିସିସି କିଷାନ୍ ସେଲ୍ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ କହିଲେ ଯେ କେନ୍ଦ୍ରର ବିଜେପି ଓ ରାଜ୍ୟ ବିଜେଡି ସରକାରର ଶାସନ କାଳରେ ଚାଷୀମାନଙ୍କର ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଫଳରେ ଫସଲହାନୀ, ଋଣଭାର, ଅଭାବୀ ବିକ୍ରୀର ଶିକାର ହୋଇ ରାଜ୍ୟରୁ ସାତ ହଜାରରୁ ଅଧିକ ଚାଷୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛନ୍ତି । ସରକାର କାଳବିଳମ୍ବ ନକରି ନିଜର ଦୋଷ ସ୍ୱୀକାର କରିବା ସହିତ ସମସ୍ତ ଚାଷୀଙ୍କ ଠାରୁ କୃଷିଋଣ ଛାଡ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୦୦୦ ଟଙ୍କାକୁ ବୃଦ୍ଧି କରନ୍ତୁ ବୋଲି ସେ କହିଥିଲେ । ଗତ ତିତ୍ଲି ବାତ୍ୟାରେ ପ୍ରାଣ ହରାଇଥିବା ୬୨ ରୁ ଉଦ୍ଧ୍ୱର୍ ଲୋକଙ୍କ ପରିବାରକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦଶଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ, ସ୍ୱତନ୍ତ୍ର କୃଷି ପ୍ୟାକେଜ, ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପାଣ୍ଠିରୁ ପ୍ରଚଳିତ କୃଷି ସହାୟକ ରାଶି ୩ ଗୁଣା ବୃଦ୍ଧି ଓ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ଚାଷୀଙ୍କ ସ୍ୱାର୍ଥରେ ସଠିକ୍ ଭାବରେ କାର୍ଯ୍ୟ କରିବା ପାଇଁ ସେ ଦୃଢ଼ ଦାବି କରିଛନ୍ତି । ଏହି ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ଚାଷୀନେତା ସଚ୍ଚିଦାନନ୍ଦ ମହାକୁଡ, ନିତ୍ୟାନନ୍ଦ ପଣ୍ଡା, ସଦାନନ୍ଦ ଓଝା, ନିମାଇଁ ଚରଣ ଜେନା, ରାମନାରାୟଣ ବିଶ୍ୱାସରାୟ, କାର୍ତିକଚନ୍ଦ୍ର ଦାସ, ପଦ୍ମ ଚରଣ ସାହୁ, ବାବାଜି ଚରଣ ଜେନା, ଜୟନ୍ତ ମହାପାତ୍ର, ଚତୁର୍ଭୂଜ ପାତ୍ର, ନୃସିଂହ ଚରଣ ଦାସ, ନରେନ୍ଦ୍ର ଦାସ ପ୍ରମୁଖ ଶତାଧିକ ଚାଷୀ ଅଂଶଗ୍ରହଣ କରିଥିଲେ ।