୬ଦିନ ପରେବି ହତ୍ୟାକାରୀର ଟେର ପାଇ ପାରୁନି ପୋଲିସ୍

ଅପରାଧ
  • 2018-10-24 14:37:36
  • 479

କାନଭାସ୍ ଓଡିଶା(ବ୍ୟୁରୋ) : ଭୁବନେଶ୍ୱର/ଖୋର୍ଦ୍ଧା/ବେଗୁନିଆ ଖୋର୍ଦ୍ଧା-ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥ ବେଗୁନିଆ ଥାନା ଅନ୍ତର୍ଗତ ଟିକାତାଳ ଛକ ନିକଟ ରାସ୍ତାକଡ ବିଲରୁ ଶନିବାର ଜଣେ ମହିଳାଙ୍କ ମୃତଦେହ ମିଳିବା ଘଟଣାକୁ ସ୍ଥାନୀୟ ଅଞ୍ଚଳରେ ଦୀର୍ଘ ୨ଘଣ୍ଟା ଧରି ଉତ୍ତେଜନା ପ୍ରକାଶ ପାଇଥିଲା । ମୃତ ମହିଳା ଜଣକ ହେଉଛନ୍ତି ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ପଳାସପଲ୍ଲୀ ଲେନ ୧୦ରେ ରହୁଥିବା ବିନୋଦ ବିହାରୀ ସେଠୀଙ୍କ ପତ୍ନୀ ଦୀପ୍ତିମୟୀ ଷଢଙ୍ଗୀ/ସେଠୀ ୩୯ବୋଲି ଜଣାପଡିଥିଲା । ଶୁକ୍ରବାରଠାରୁ ଦୀପ୍ତିମୟୀ ନିଖୋଜ ଥିଲେ ବୋଲି ବିନୋଦ ଏୟାରଫିଲ୍ଡ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ତେବେ ବିନୋଦ ଶନିବାର ଟିକାତାଳରେ ଏକ ମହିଳାଙ୍କ ମୃତଦେହ ସଂକ୍ରାନ୍ତୀୟ ଖବର ପାଇ ଯାଇଥିଲେ । ଏବଂ ସେ ଶବ ଚିହ୍ନଟ କରି ନିଜ ସ୍ତ୍ରୀ ଦୀପ୍ତିମୟୀଙ୍କର ବୋଲି ସ୍ୱୀକାର କରିଥିଲେ । ବେଗୁନିଆ ପୋଲିସ ବିନୋଦଙ୍କୁ ଅଟକ ରଖି ପଚରା ଉଚରା କରିଥିଲା । ସଂମ୍ପକୀୟମାନେ ଖୋର୍ଦ୍ଧା ହସ୍ପିଟାଲରେ ଶବ ବ୍ୟବଚ୍ଛେଦ କରିବା ପରେ ପଳାସପଲ୍ଲୀ ନେଇଆସିଥିଲେ । ତେବେ ବିନୋଦଙ୍କୁ ଖୋର୍ଦ୍ଧା ପୋଲିସ ଅଟକ ରଖିବା ପ୍ରତିବାଦରେ ପଳାସପଲ୍ଲୀର ଶହ ଶହ ବାସିନ୍ଦାଙ୍କ ସମେତ କଂଗ୍ରେସର ରଶ୍ମି ମହାପାତ୍ର, ବିଜେପିର ମଦନ ମୋହନ ପ୍ରଧାନଙ୍କ ନେତୃତ୍ୱରେ ଦୀର୍ଘ ୪ଘଣ୍ଟା କାଳ ଟାୟାର ଜାଳି ରାସ୍ତାରୋକ କରିଥିଲେ । ଦୀପ୍ତି ଏକ ବୀମା କମ୍ପାନୀ (ଏଲ୍.ଆଇ.ସି)ରେ ଏଜେଣ୍ଟ ଭାବେ କାମ କରୁଥିଲେ । ଲୋକମାନଙ୍କ ସହ ତାଙ୍କର ଭଲ ସମ୍ପର୍କ ଥିଲା । ତେବେ କେଉଁ କାରଣରୁ ତାଙ୍କୁ ହତ୍ୟା କରାଯାଇଛି ପୋଲିସ ଏ ପର୍ଯ୍ୟନ୍ତ କିଛି ବି ସୁରାକ ପାଇପାରିନାହିଁ । ଘଟଣା ସ୍ଥଳରେ ରକ୍ତଛିଟା ପଡିନଥିବାରୁ ଅନ୍ୟ ଯାଗାରେ ହତ୍ୟା କରାଯାଇ ବେଗୁନିଆ ଟିକାତାଳରେ ଫିଙ୍ଗା ଯାଇଥିବା ଏସପି ସୂଚନା ଦେବା ସହ ଏହା ଏକ ସୁ-ପରିକଳ୍ପିତ ହତ୍ୟାକାଣ୍ଡ ବୋଲି କହିଛନ୍ତି । ଦୀପ୍ତିମୟୀଙ୍କ ସ୍ୱାମୀ ବିନୋଦ ଛୋଟ ପରଦାରେ ଅଭିନୟ କରିବା ସାଙ୍ଗକୁ ପଳାସପଲ୍ଲୀ ଛକରେ ନିଜର ଏକ କେକେ ନାମକ ଷ୍ଟୁଡିଓ ମଧ୍ୟ ଅଛି । ସେ ଦୀପ୍ତିମୟୀଙ୍କୁ ପ୍ରେମବିବାହ କରିଥିଲେ । ତାଙ୍କର ୧୪ଏବଂ ୬ବର୍ଷର ଦୁଇଟି ଝିଅ ଅଛନ୍ତି । ବେଗୁନିଆ ଏବଂ ଏୟାରଫିଲ୍ଡ ପୋଲିସର ମିଳିତ ଉଦ୍ୟମରେ ପଳାସପଲ୍ଲୀର ବିଭିନ୍ନ ଘରୋଇ ଅନୁଷ୍ଠାନ ମାନଙ୍କରେ ଲଗାଯାଇଥିବା ସିସିଟିଭି ଫୁଟେଜ ଯାଞ୍ଚ କରିଛି । କେଉଁ ପରିସ୍ଥିତିରେ ଏବଂ କିଏ ଦୀପ୍ତିଙ୍କୁ ବେଗୁନିଆ ନେଇଥିଲା ନାସେ ଏକୁଟିଆ ଯାଇଥିଲେ ? ଗଲାବେଳେ ମୋବାଇଲ ଫୋନ୍ ସାଙ୍ଗରେ ନେଇନଥିଲେ କଣ ପାଇଁ? ଏଭଳି ବିଭିନ୍ନ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ୍ ।