ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପାଲଟିଛି ପଶୁ ପ୍ରସବ କେନ୍ଦ୍ର

EXCLUSIVE
  • 2018-10-15 18:08:30
  • 602

କାନଭାସ୍ ଓଡିଶା(ବ୍ୟୁରୋ) : ବରୀ, ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଦୁରାବସ୍ଥା ଉପରେ ସରକାରଙ୍କ ଦୃଷ୍ଟି ନପଡିବା ଘଟଣା ସାଧାରଣରେ ଆଲୋଚନା ର ବିଷୟ ହୋଇଛି । ଆଜି ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ । ସ୍ୱାସ୍ଥ୍ୟ କେନ୍ଦ୍ରର ଅନ୍ତଃର୍ବିଭାଗ ପ୍ରସୂତୀ ବିଭାଗ ନିକଟରେ ଏକ କୁକୁର ପ୍ରସବ କରିବା ଓ ଏହି ବିଭାଗରେ ପ୍ରସୂତୀ ମାନେ ଚିକିତ୍ସୀତ ହେଉଥିବା ବେଳେ ଦାୟୀତ୍ୱରେ ଥିବା କର୍ମଚାରୀ ମାନଙ୍କ ନଜର ନପଡିବା ଘଟଣା ସ୍ୱାସ୍ଥ୍ୟ ବିଭାଗର ପାରିବା ପଣିଆକୁ ପଦାରେ ପକାଇ ଦେଇଛି । ସୂଚନା ଯୋଗ୍ୟ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ବରୀ ବ୍ଲକର ୨୯ ଗୋଟି ପଂଚାୟତ ମଧ୍ୟରୁ ୨୫ ଗୋଟି ପଂଚାୟତର ଜନସାଧାରଣ ନିର୍ଭର କରୁଥିବା ବେଳେ ସ୍ଥାୟୀ ଡାକ୍ତର ନଥିବା ଯୋଗୁଁ ଏହିଭଳି ଅବସ୍ଥା ଲାଗି ରହୁଛି । ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଥିବା ଆମ୍ବୁଲାନ୍ସ ଟି ଅଚଳ ଅବସ୍ଥାରେ ଥିବା ବେଳେ ଜେନେଟର ମଧ୍ୟ ଅଚଳ ଅବସ୍ଥାରେ ରହିଛି । ବିଦ୍ୟୁତ କାଟ ହେଲେ ରୋଗୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାର ଦେଖିବାକୁ ମିଳିଛି । ସମସ୍ୟାର ସମାଧାନ ନିମନ୍ତେ ବାରମ୍ବାର ସ୍ଥାନୀୟ ଅଧିବାସୀ ମାନେ ଜିଲ୍ଲାପାଳ , ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ବି କୌଣସି ସୁଫଳ ମିଳୁନାହିଁ । ରାଜନୈତିକ ତିକ୍ତତା ଯୋଗୁଁ ରୋଗୀ କଲ୍ୟାଣ ସମିତି ବୈଠକ ୨ ବର୍ଷ ମଧ୍ୟରେ ସମ୍ଭବ ହୋଇପାରି ନାହିଁ । ଅନ୍ତଃର୍ବିଭାଗରେ ରହୁଥିବା ରୋଗୀ ମାନଙ୍କୁ ସରକାର ଙ୍କ ନିୟମ ମୁତାବକ ଆବଶ୍ୟକ ଖାଦ୍ୟ ଯୋଗଣ ମଧ୍ୟ ବନ୍ଦ ରହିଥିବାର ଜଣା ପଡିଛି । ବିକଶିତ ବରୀ ବୋଲି ସରକାରଙ୍କ ପ୍ରତିନିଧିଙ୍କ ତରଫରୁ ବିଭିନ୍ନ ଛକ ମାନଙ୍କରେ ବ୍ୟାନର ଲଗାଯାଇଥିବା ବେଳେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ସମସ୍ୟାକୁ ସରକାର ଗୁରୁତ୍ୱ ନଦେବା ଏବଂ ପ୍ରସୂତୀ ବିଭାଗ ରେ ଏକ କୁକୁର ପ୍ରସବ କରିବା ଘଟଣା ବିକାଶ ର ଧାରା କେତେ ଯେ ବରୀ ରେ ପହଂଚିଛି ତାହା ସାଧାରଣ ରେ ଆଲୋଚିତ ହେଉଛି । ଏହି ମର୍ମରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଦାୟୀତ୍ୱରେ ଥିବା ଡାକ୍ତର ହିମାଂଶୁ ଶେଖର ନାଥଙ୍କୁ ଯୋଗାଯୋଗ ସମ୍ଭବ ହୋଇପାରି ନାହିଁ ।