ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକରେ ଭୟାବହ ବନ୍ୟାର ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ।

ବାତ୍ୟା ଖବର
  • 2018-10-13 10:04:27
  • 1034

କାନଭାସ୍ ଓଡିଶା(ବ୍ୟୁରୋ) : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ତିତଲି’ର ପ୍ରଭାବରେ ଚିଲିକାରେ ମଧ୍ୟ ତାର କାୟାବିସ୍ତାର କରି ଚାଲିଯାଇଛି । ବାତ୍ୟା ପ୍ରଭାବରେ ଟାଙ୍ଗି ବ୍ଲକର ଟାଙ୍ଗି ଗ୍ରାମପଞ୍ଚାୟତ, ସାନକୁସୁମି, ବିନ୍ଧାଣିଆ ସେହିପରି ଚିଲିକା ବ୍ଲକର ଜରିପଡା, ବାଉଁଶସାହି, ହରିଜନ ସାହି, ପାଣିଦୁଆର, କୁମଣ୍ଡଳ, ଆଙ୍କୁଲସାହି ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ୧୦ତାରିଖ ସଂନ୍ଧ୍ୟା ସମୟରୁ ଚିଲିକା ତଳି ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ ବାଲୁଗାଁ ଏନଏସି କଲେଜ ଏବଂ ବାଣପୁରରେ ମଧ୍ୟ ନିରାପଦ ସ୍ଥାନକୁ ୧୫୦ ଲୋକଙ୍କୁ ଥଇଥାନ କରାଯାଇଥିଲା । ପ୍ରଶାସନ ତରଫରୁ ଖାଇବା ପିଇବାର ସବୁ ବ୍ୟବସ୍ଥା କରାଯାଇଥିଲା । ତା ଛଡା ସବୁ ପଞ୍ଚାୟତ ଓ ଗଢିଉଠିଥିବା ବାତ୍ୟା ଆଶ୍ରୟସ୍ଥଳି ମାନଙ୍କରେ ସବୁ ବ୍ୟବସ୍ଥା କରାଯାଇଥିଲା । ବିଶେଷକରି ମତ୍ସ୍ୟଜୀବୀ ମାନେ ବହୁତ ପ୍ରଭାବିତ ହୋଇଛନ୍ତି । ପାଣି ଭିତରେ ଡଙ୍ଗା ଆଉ ମାଛଧରା ଜାଲ ବୁଡି ରହି ନଷ୍ଟ ହୋଇଯାଇଛି । ବ୍ରହ୍ମଗିରିରେ ପ୍ରବଳ ବର୍ଷା ହେବା ଯୋଗୁଁ ଚିଲିକାର ଅରଖକୁଦ ନିକଟରେ ପ୍ରାୟ ୧କିଲୋମିଟର ପର୍ଯ୍ୟନ୍ତ ନୁଆ ମୁହାଣ ସୃଷ୍ଟି ହୋଇଥିଲା । ଯାହା ଫଳରେ ମତ୍ସ୍ୟଜୀବୀଙ୍କ ଉପରେ ଏହାର ବିଶେଷ ପ୍ରଭାବ ପଡିଥିଲା । ୩୦ରୁ ଅଧିକ ଗ୍ରାମରେ ଜୁଆର ପାଣି ମାଡିଆସିଥିଲା । ଜରିପଡା ପଞ୍ଚାୟତର ହରିଜନ ସାହି, ପାଣି ଦୁଆର ଅନ୍ୟାନ୍ୟ ଗାଁ ଭିତରେ ପାଣି ପଶିଯିବା ଫଳରେ ୪ଫୁଟ୍ ପାଣି ଘେରରେ ଲୋକମାନେ ରହିଥିଲେ । ଚିଲିକା ବ୍ଲକ ପ୍ରଶାସନ ତରଫରୁ ୧୧ଜଣିଆ ଓଡ୍ରାଫ ଟିମ୍ ସହାୟତାରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା । ତେବେ ବନ୍ୟା ଯୋଗୁଁ ଚିଲିକା ଉପକୂଳ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହେବାସହ ୭ହଜାର ଲୋକ ଜଳବନ୍ଦୀ ରେ ରହିଯାଇଥିଲେ । ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ଟାଙ୍ଗି, ଚିଲିକା ବିଡିଓ ଓ ତହସିଲଦାରଙ୍କ ତତ୍ୱାବଧାନରେ ଓଡ୍ରାଫ ଟିମ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏହାପରେ ଶିବିର ମାନଙ୍କରେ ଗ୍ରାମବାସୀ ଓ ସେମାନଙ୍କର ପଶୁପକ୍ଷୀ ଓ ଧନଜନକୁ ସୁରକ୍ଷିତ ରଖିବାପାଇଁ ବନ୍ଦୋବସ୍ତ ସହ ସେମାନଙ୍କ ଖାଇବା ପିଇବା ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଆମେ ଭୋର ୪ଟା ବେଳୁ ଯାଇଥିଲୁ । ଜିରୋ ଗ୍ରାଉଣ୍ଡ କଭରେଜ ମୁଡ୍ ନେଇ ଯାଇନଥିଲି ବାସ୍ତବ ଚିତ୍ରକୁ ଆଖି ଆଗରେ ଦେଖିବା ପରେ...! କିନ୍ତୁ ଆମେ ଜାଣିନଥିଲୁ କିଯେ ସେଠାକାର ପରିସ୍ଥିତି ଏତେ ଭୟଙ୍କର ହେବ ବୋଲି । ବର୍ଷା ସାଙ୍ଗକୁ ପବନର ବେଗ ମଧ୍ୟ ବଢୁଥିଲା । ରାତିରେ ସେମାନେ ଶୋଇଥିବା ବେଳେ ହଠାତ ଘର ଭିତରକୁ ପାଣି ମାଡିଆସିଥିଲା । କୈାଣସି ଉପାୟ ନପାଇ ଘର ବାହାରକୁ ଚାଲିଆସିଥିଲେ । ଏମିତି ଭୟଙ୍କର ବନ୍ୟା କେବେ ଦେଖିନଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ବାଲୁଗାଁ ସ୍ୱାସ୍ଥ୍ୟକେନ୍ଦ୍ରରୁ ଏକ ଟିମ୍ ଜରିପଡା ଉପସ୍ୱାସ୍ଥ୍ୟ କେନ୍ଦ୍ର ମିଳିତ ସହଯୋଗରେ ବନ୍ୟା ପ୍ରଭାବିତ ଲୋକମାନଙ୍କୁ ହାଲୋଜିନ୍ ବଟିକା, ଓଆରଏସ ଦିଆଯିବା ସହ ସ୍ୱାସ୍ଥ୍ୟ ସେବା ମଧ୍ୟ ଯୋଗାଇ ଦିଆ ଯାଇଥିଲା । ଘଟଣା ସ୍ଥଳକୁ ରାଜନେତା ମାନଙ୍କର ସୁଅ ଛୁଟିବାରେ ଲାଗିଥିଲା । ଖୋର୍ଦ୍ଧା ବିଧାୟକ, ଚିଲିକାର ପୂର୍ବତନ ଓ ବର୍ତ୍ତମାନ ବିଧାୟକ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । କଳିଙ୍ଗ ଟିଭିର କାର୍ଯ୍ୟରତ ସାମ୍ବାଦିକ ମନୋଜ ନାଇଡୁ ଆଉ କ’ଣ କହିଲେ କାନଭାସ୍ ଓଡିଶାକୁ । ବିଶେଷକରି କାନଭାସ୍ ଓଡିଶା ପକ୍ଷରୁ ଶ୍ରୀ ମନୋଜ ନାଇଡୁଙ୍କୁ ଅନେକ ଧନ୍ୟବାଦ ଦେଉଛୁ ବନ୍ୟା ଦ୍ୱାରା ପ୍ରଭାବିତ ଲୋକମାନଙ୍କୁ ଉଦ୍ଧାର କରିବା ସହିତ ସଠିକ ସମୟରେ ପ୍ରଶାସନର ଦୃଷ୍ଟିକୁ ଆଣିଥିବାରୁ ।