ସରକାରଙ୍କର ଠିକାଚାଷ ଯୋଜନା କେବଳ ନିର୍ବାଚନ ଭେଳିକି - କଂଗ୍ରେସ

ରାଜ୍ୟ ଖବର
  • 2018-10-12 11:24:45
  • 248

କାନଭାସ୍ ଓଡିଶା(ବ୍ୟୁରୋ) : ଭୁବନେଶ୍ୱର – ୧୯ ବର୍ଷ ଶାସନ ପରେ ସରକାରଙ୍କର ମନେପଡିଲା ଚାଷୀଙ୍କ କଥା । ଦଲାଲି ହଟିବେ, ଚାଷୀ ପାଇବେ ଝାଳବୁହା ଧନ । ହାତ ପାହାନ୍ତାରେ ନିର୍ବାଚନ । ଚାଷୀ ମଲେ ହଜିଲେ ହିସାବ ନାହିଁ । ଭାଗଚାଷୀ ଆଇନ୍ ବ୍ୟବସ୍ଥା ଶୀତଳ ଭଣ୍ଡାରରେ । ସଂରକ୍ଷଣ ପାଇଁ ନାହିଁ ଗୋଦାମ ଘର, ନାହିଁ ଶୀତଳଭଣ୍ଡାର । ଉତ୍ପାଦନ ଖର୍ଚ୍ଚର ମୂଲ ପାଇବା ତ ଦୂରର କଥା, ଫସଲ ବୀମା ପୈଠ କରି ଚାଷୀ ଭୋଗୁଛି ହିନସ୍ତା । ସାହୁକାର ଠାରେ ବନ୍ଧା ପଡିଛି ଚାଷୀ । ଋଣ ଲଗାଣ ଲକ୍ଷ୍ୟ ଧାର୍ଯ୍ୟ କେବଳ କାଗଜ କଲମ ଓ ପ୍ରଚାର ସର୍ବସ୍ୱ । ମଣ୍ଡି ବିପର୍ଯ୍ୟସ୍ତ, ଚାଷୀ କ୍ଷତିଗ୍ରସ୍ତ, ମଧ୍ୟସ୍ଥି, ଦଲାଲ ଓ ସରକାର ଉପକୃତ । ଫସଲହାନୀ, ଋଣବୋଝ, ଅଭାବୀ ବିକ୍ରୀର ଶିକାରରେ ଚାଷୀ ଆତ୍ମହତ୍ୟା ବୃଦ୍ଧି ହେଉଥିବା ବେଳେ ସରକାର ଠିକାଚାଷ ପାଇଁ ଯେଉଁ ଯୋଜନା ଆପଣେଇଛନ୍ତି ଏହା କେବଳ ନିର୍ବାଚନୀ ଚାଲ୍ । ଚାଷୀ ଅଭାବୀ ବିକ୍ରୀର ପ୍ରତିକାର ପାଇଁ ସରକାର କରିଛନ୍ତି କ’ଣ? ଗତ ନିର୍ବାଚନୀ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ମୂତାବକ ଚାଷୀମାନଙ୍କୁ ମାଗଣା ବିଜୁଳି ଗଲା କୁଆଡେ? ଏହାଦ୍ୱାରା ଚାଷୀ ଓ କମ୍ପାନୀ ଚୁକ୍ତିରେ ମୁନାଫା ନେବେ କେବଳ କମ୍ପାନୀ ବୋଲି ଓଡିଶା ପ୍ରଦେଶ କଂଗ୍ରେସ କମିଟି କୃଷକ ସେଲ୍ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ଏକ ପ୍ରେସ୍ ବିବୃତିରେ କହିଛନ୍ତି । ରାଜ୍ୟରେ କଂଗ୍ରେସ ଶାସନକୁ ଆସିଲେ ଚାଷୀଙ୍କ ବିଲ ମୁଣ୍ଡରୁ ଉତ୍ପାଦିତ ଦ୍ରବ୍ୟର ଉଚିତ୍ ମୂଲ୍ୟ ଚାଷୀଙ୍କୁ ଦେବାକୁ ବ୍ୟବସ୍ଥା କରିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।