କାନଭାସ୍ ଓଡିଶାକୁ କଣ କହିଲେ ‘ସାମ୍ବାଦିକ’ ଭବାନୀ ପ୍ରସାଦ ଦାସ

ବାତ୍ୟା ଖବର
  • 2018-10-12 08:48:14
  • 664

କାନଭାସ୍ ଓଡିଶା(ବ୍ୟୁରୋ) : ଜଗନ୍ନାଥଙ୍କ ଦୟାରୁ ରାଜ୍ୟରୁ ତିତଲି ବିପଦ ଟଳିଲା । ଲୋକମାନେ ଏହାକୁ ବୁଝିବା ଦରକାର କିନ୍ତୁ ଏହା ନବୁଝି କିଛିଲୋକ ଆମ ମାନଙ୍କ ଉପରେ ଯେଉଁ ଭଳି ଭାବରେ ଅପଶବ୍ଦ ବ୍ୟବହାର କରି କମେଣ୍ଟ କରୁଛନ୍ତି ତାହା ଆମକୁ ବହୁତ ମର୍ମାହତ କରିଛି । ଗଣମାଧ୍ୟମ ଯାହା ଟେଲିଭିଜନ ମାଧ୍ୟମରେ ପ୍ରସାରଣ କରୁଥିଲା ତାହା କୈାଣସି ମନଗଢା କାହାଣି ନଥିଲା । କେନ୍ଦ୍ର ଓ ରାଜ୍ୟ ପାଣିପାଗ ବିଭାଗ ଯେଉଁ ତଥ୍ୟ ପ୍ରଦାନ କରୁଥିଲେ ତାକୁ ନେଇ ପ୍ରଶାସନକୁ ସଜାଗ ଓ ତତ୍ପର କରିବା ସହିତ ସମସ୍ତେ ସତର୍କ ଅବଲମ୍ବନ କରିବା ନେଇ ପ୍ରସାରଣ କରାଯାଉଥିଲା । ଆମେ ମାନେ ସାରାରାତି ଖାଇବା ପିଇବା ଭୁଲି. ରାତି ଅନିଦ୍ରା ହୋଇ, ବର୍ଷା ମାଡ ଖାଇ, ତାସହିତ ୧୫୦ କିଲୋମିଟର ବେଗରେ ବହୁଥିବା ପବନକୁ ସାମ୍ନା କରି ଯେଉଁ ମୁଡ ନେଇ ପ୍ରତି ମୁହୂର୍ତ୍ତରେ ଗ୍ରାଉଣ୍ଡ ଜିରୋରେ ଥାଇ ସୂଚନା ପ୍ରଦାନ କରିଛୁ ସେ ଅନୁଭୁତି କେବଳ ଆମକୁ ହିଁ ଜଣା, ଘରେ ବସି ମଟନ ଚିକେନର ଆସର ଜମଉଥିବା ସେଇ ବ୍ୟକ୍ତି ବିଶେଷ କେମିତି ଜାଣିପାରିବେ? ସେମାନେ କଣ ‘ତିତଲି’ର ମହାତାଣ୍ଡବ ରୂପକୁ ଦେଖିଛନ୍ତି କି? ସେମାନଙ୍କ କହିବା କଥା କହିବେ । ଆମେମାନେ କଣ ଏମିତି ମିଛ ଖବର କହିଲୁଯେ ଆମକୁ ମିଛୁଆ ସାମ୍ବାଦିକର ଆଖ୍ୟା ଦିଆ ଯାଉଛି ? ଖବରକୁ ଅତିରଞ୍ଜିତ କରିବା, ଲୋକଙ୍କୁ ଡରାଇବା, ଲୋକଙ୍କ ମଧ୍ୟରେ ଛନକା ଭରିବା ସହିତ ଟିଆରପି ବଢାଇବା ସହ ଭୁଲ ଖବର ପରିବେଷଣ କରିବା ଭଳି ଅନେକ ଦାଗ ଆମ ଦେହରେ ଲଗାଯାଉଛି । ବାସ୍ତବରେ ଏହି ଆରୋପ ପ୍ରତ୍ୟାରୋପ ଆମ ମାନଙ୍କୁ ଶକ୍ତ କରାଏ ଆଗକୁ ଯାଇ କିଛି ନୁଆ କରିବାପାଇଁ ପ୍ରେରଣା ଦେଇଥାଏ ବୋଲି କାନଭାସ୍ ଓଡିଶାକୁ କହିଛନ୍ତି ‘କନକନ୍ୟୁଜ’ରେ କାର୍ଯ୍ୟରତ ସାମ୍ବାଦିକ ଭବାନୀ ପ୍ରସାଦ ଦାସ । ଗୋପାଳପୁର ଭଳି ଆଜି ମଧ୍ୟ ସେ ଆନ୍ଧ୍ର ପ୍ରଦେଶର ତିତିଲ ପ୍ରଭାବରେ ବହୁଳଭାବେ କ୍ଷତିଗ୍ରସ୍ତ ହୋଇଥିବା ବିଭିନ୍ନ ଅଞ୍ଚଳ ପରିଭ୍ରମଣ କରି ରିପୋର୍ଟ ସଂଗ୍ରହ କରିବା ନେଇ ଯାଇଥିବା ସୂଚନା ଦେଇଛନ୍ତି । ଆଜି ସାମ୍ବାଦିକଙ୍କ ଉପରେ ଦୋଷ ଲଦିବାର ନୁଆ ମାଧ୍ୟମ ବନିଯାଇଛି ‘ଫେସବୁକ୍’ ବା ସୋସିଆଲ ମିଡିଆ । ଯେ କୈାଣସି ବ୍ୟକ୍ତି ନିଜର ଚିନ୍ତାଧାରାକୁ ସୋସିଆଲ ମଡିଆ ମାଧ୍ୟମରେ ପରିପ୍ରକାଶ କରିପାରିବେ ବା ନିଜର ମତ ରଖିବାର ସ୍ୱାଧୀନ ଅଧିକାର ସମସ୍ତଙ୍କର ରହିଛି । ବାସ୍ତବ ପରିସ୍ତିତିକୁ ଯିଏ ଅନୁଭବ କରିଛି ସେହିଁ ଜାଣିଛି ପ୍ରକୃତରେ ‘ତିତଲି’ କେତେ ଭୟଙ୍କର ଥିଲା । ଭୁବନେଶ୍ୱରରୁ ୫ଟି ଗଣମାଧ୍ୟମ ସଂସ୍ଥା ତରଫରୁ ବୈଦ୍ୟୁତିକ ଗଣମାଧ୍ୟମ ପକ୍ଷରୁ ୫ଟି ଟିମ ଏବଂ ମୁଦ୍ରିତ ଗଣମାଧ୍ୟମରୁ ୩ଟି ଟିମ ଗୋପାଳପୁରରେ ଉପସ୍ଥିତ ଥିଲେ । ସଂନ୍ଧ୍ୟା ସମୟ ବେଳକୁ ବର୍ଷା ହେଉଥାଏ ପୁଣି ଛାଡିଯାଉଥାଏ । ପବନର ବେଗ ବି ସେମିତି କିଛି ଭୟଙ୍କର ନଥିଲା । ସେଠାକାର ଲୋକ ମାନେ କିଛି ଜାଣିପାରିନଥିଲେ କାରଣ ଲାଇନ୍ ବି କଟାଇ ଦିଆଯାଇଥିଲା ବାତ୍ୟାକୁ ଦୃଷ୍ଟିରେ ରଖି । ଠିକ୍ ୧୨.୧୦ ହେବ ଅଚାନକ ଭୟବିତ କରିଦେଇଥିଲା ବାତ୍ୟା ‘ତିତଲି’ । କିଛି ଉପାୟ ପାଇନଥିଲୁ । ଜୋରସେ ବର୍ଷା ସାଙ୍ଗକୁ ପବନର ବେଗ ବଢିବାକୁ ଲାଗିଲା । ତାକୁ ଖାତିର ନକରି ଆମେ ରିପୋର୍ଟିଙ୍ଗ କରିଥିଲୁ । ତା ପରେ ସରକାର ଆଉ ରାଜ୍ୟ ଓ କେନ୍ଦ୍ରରେ ଥିବା ପାଣିପାଗ ବିଭାଗ ଯାହା ତଥ୍ୟ ଦେଲେ, ତାକୁ ନେଇକି ସମ୍ବାଦ ପରିବେଷଣ କରିବା କ’ଣ ଭୁଲ୍ ? ଯେଉଁମାନେ ସୋସିଆଲ ମିଡିଆ ମାଧ୍ୟମରେ ପାଣିପାଗ ବିଜ୍ଞାନୀ ସାଜି ଗଣମାଧ୍ୟମକୁ ନୈତିକତାର ପାଠ ପଢାଉଛନ୍ତି ସେମାନେ ଏଥର ପୂର୍ବାନୁମାନ କରନ୍ତୁ ଆଉ ଗଣମାଧ୍ୟମକୁ ପ୍ରେସ ରିଲିଜ ଜରିଆରେ ତଥ୍ୟ ଦିଅନ୍ତୁ । ଫାଇଲିନ ବନ୍ୟାର ପ୍ରଭାବିତ ଅଞ୍ଚଳର ଲୋକମାନଙ୍କ ଦୁଃଖକୁ ପ୍ରସାରିତ କରିବା ପରେ ଯାଇ ପ୍ରଶାସନ ପ୍ରଭାବିତ ଅଞ୍ଚଳରେ ପହଞ୍ଚୁଥିଲା । ଆମେ ମାନେ ହିଁ ଏକମାତ୍ର ମାଧ୍ୟମ ଥିଲୁ । ଲୋକ ମାନଙ୍କର ଆମମାନଙ୍କ ଠାରୁ ବହୁତ ଆଶା ଥିଲା । ବିସ୍କୁଟ, କଦଳୀ ଓ ପାଣିବୋତଲ ଯୋଗାଇବାର ଆମେମାନେହିଁ ଏକମାତ୍ର ସାଜିଥିଲୁ । ‘ତିତଲି’କୁ ନେଇ ଯେତେବେଳେ ଜାତୀୟ ଗଣମାଧ୍ୟମ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ବ୍ୟଗ୍ରତା ଦେଖା ଦେଉଥିଲା ସେତେବେଳେ କ’ଣ ଆମେ ଚୁପ୍ ହୋଇ ବସିଥାନ୍ତୁ ? ସରକାର ଆଉ ଜିଲ୍ଲା ପ୍ରଶାସନ ଯେତେବେଳେ ମିଶନ ମୋଡରେ ଆଉ ଜିରୋ କାଜୁଆଲଟି ଘୋଷଣାକୁ ଲକ୍ଷ ରଖି କାମ କରୁଥାନ୍ତି ଠିକ ସେହିପରି ଗଣମାଧ୍ୟମ ପ୍ରତିନିଧି ମାନେ ସେମାନେ ସେମାନଙ୍କର କଭରେଜ ପାଇଁ ଉଦ୍ୟମ କରିଛନ୍ତି । ଯଥା ସମ୍ଭବ ଆମେ ଲୋକମାନଙ୍କ ସମସ୍ୟା ସରକାରଙ୍କ ନିକଟରେ ପହଞ୍ଚାଇଛୁ ।