ମିତ୍ରଙ୍କ ବଢିଲା ମିଆଦ ତୁଟିନି ଅଡୁଆ

ତାଜା ଖବର
  • 2018-10-11 11:04:15
  • 268

କାନଭାସ୍ ଓଡିଶା(ବ୍ୟୁରୋ) : ଗୋଟିଏ ଇମେଲ କରି କହିଲେ କମିଟି ନକଟରେ ଯଥାସମ୍ଭବ ଉପସ୍ଥିତ ରହିବି, ପୁଣି ଦ୍ୱିତୀୟ ମେଲ କରି ନିଜ ଭୁଲ ପାଇଁ କ୍ଷମା ମାଗିଛନ୍ତି ଚର୍ଚ୍ଚାଦାର ମିତ୍ରୋ ଅଭିଜିତ୍ । ସୂଚନାଯୋଗ୍ୟ ଯେ ଓଡିଶା, କୋଣାର୍କ ମନ୍ଦିର ଓ ଜଗନ୍ନାଥ ମନ୍ଦିର ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ଅଭିଜିତ ଆୟାର ମିତ୍ର ଅରୁଚିକର ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ବିଧାନସଭାରେ ବିଧାୟକ ମାନେ ସ୍ୱାଧିକାର ଭଙ୍ଗ ଅଭିଯୋଗ ଆଣିବା ସହିତ ବିରୋଧି ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗୃହକମିଟି ଗଠିତ ହୋଇଥିଲା । ଏହି କମିଟି ସମ୍ମୁଖରେ ୧୧ ତାରିଖରେ ହାଜର ହେବାକୁ ଅଭିଜିତଙ୍କୁ ପୂର୍ବରୁ କୁହାଯାଇଥିଲା । ମାତ୍ର ସେ ହାଜିର ନହେବାରୁ ଗୃହ କମିଟି ପକ୍ଷରୁ ନୋଟିସ ଜାରି କରାଯାଇଛି । ଆସନ୍ତା ୨୩ ତାରିଖ ପୂର୍ବାହ୍ନ ୧୧ଟା ବେଳେ ତାଙ୍କୁ ଗୃହ କମିଟି ବୈଠକରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଗୃହ କମିଟି ଅଧ୍ୟକ୍ଷ ତଥା ବିରୋଧି ଦଳ ନେତା ନରସିଂହ ମିଶ୍ର ସୂଚନା ଦେଇଛନ୍ତି । ଅଭିଜିତ ବାଚସ୍ପତି ଓ ଗୃହ କମିଟିକୁ ଦୁଇଟି ମେଲ ପଠାଇଥିବା କହିଛନ୍ତି ଶ୍ରୀ ମିଶ୍ର । ସେ କରିଥିବା ଅପରାଧ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । କିନ୍ତୁ ଗୃହ କମିଟି ସମ୍ମୁଖରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ପଡିବ, ଚିଠି କି ଇମେଲ ଯୋଗେ କ୍ଷମା ମାଗିବା ଆଦୈା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ନରସିଂହ ମିଶ୍ର ।