ସରକାରଙ୍କ ଦୁର୍ନୀତି ବିରୁଦ୍ଧରେ ଗର୍ଜିଲେ ବିରୋଧୀ

ରାଜନୀତି
  • 2018-10-11 08:52:44
  • 288

କାନଭାସ୍ ଓଡିଶା(ବ୍ୟୁରୋ) : ରାଜ୍ୟରେ ଦୁର୍ନୀତି,ଅନ୍ୟାୟ,ଅନୀତି ବ୍ୟାପକ ପରିମାଣରେ ବଢିଚାଲିଛି । ଯାହାଫଳରେ ସାଧାରଣ ଜନତା ନ୍ୟାୟ ପାଇବା ପ୍ରତିବଦଳରେ ନିର୍ଯ୍ୟାତିତ ହେଉଛନ୍ତି । ସେଥିମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରେ ଦୁର୍ନୀତି ବିରୁଦ୍ଧରେ ମୁଣ୍ଡ ଟେକିଛି ଜନଜାଗରଣ ମହାମେଣ୍ଟ । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ରାଜୀବଗାନ୍ଧି ପଡିଆଠାରେ ମହାମେଣ୍ଟ ତରଫରୁ ଏକ ମହାସମାବେଶର ଆୟୋଜନ କରାଯାଇଥିଲା । ଲଗାଣ ବର୍ଷା ସତ୍ତେ୍ୱ ଟାଙ୍ଗୀ ବ୍ଲକର ବିଭିନ୍ନ ପଞ୍ଚାୟତରୁ ହଜାର ହଜାର ସଂଖ୍ୟାରେ ପୁରୁଷ ଓ ମହିଳା ସମବେତ ହୋଇଥିଲେ । ଜନଜାଗରଣ ମହାମେଣ୍ଟର ସଭାପତି ବିପିନ ବିହାରୀ ଜୟସିଂହଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ରାଜ୍ୟ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଡାଃ. ଦାମୋଦର ରାଉତ, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ସିପିଏମ ନେତା ଜନାର୍ଦ୍ଦନ ପତି, ସିପିଆଇ ନେତା ରାମକୃଷ୍ଣ ପଣ୍ଡା, ପୂର୍ବତନ ବିଧାୟକ ଦିଲ୍ଲୀପ କୁମାର ଶ୍ରୀଚନ୍ଦନ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଖୋର୍ଦ୍ଧା ରାମ ଚନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗଦେଇ କେନ୍ଦ୍ରରେ ଗଣତନ୍ତ୍ର ନାମରେ ଦଳତନ୍ତ୍ର ଓ ରାଜ୍ୟରେ ଜଣତନ୍ତ୍ର ସରକାର ଚାଲିଛି ବୋଲି ଗର୍ଜିଥିଲେ । ରାଜ୍ୟରେ ଲକ୍ଷେ ଅଶି ହଜାର ପଦବୀ ଖାଲି ପଡିଥିବା ବେଳେ ଭୋଟ ପାଇବା ପାଇଁ ବିଜୁ ଯୁବ ବାହିନୀ ଗଠନର ଭେଳିକି ଦେଖାଉଛନ୍ତି ନବୀନ ବାବୁ ବୋଲି ନିରଞ୍ଜନ ପଟ୍ଟନାୟକ କହିଥିଲେ । ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବହୁ ଗୁରୁତ୍ୱପୂର୍ଣ୍ଣ ଦୁର୍ନୀତି ସଂପର୍କରେ ବକ୍ତବ୍ୟ ରଖିଥିବା ବେଳେ ଆହୁରି କିଛି ଗୁମର ଖୋଲିବାକୁ ସାଧାରଣରୁ ଦାବି ହେଉଥିବାରୁ ଆହୁରି ଅଧିକ କହିଲେ ତାଙ୍କୁ ଜୀବନରୁ ମାରିଦିଆଯିବ ବୋଲି ଡାଃ.ରାଉତ କହିଥିଲେ । ଏପରିକି ଖୋର୍ଦ୍ଧା ବିଧାୟକଙ୍କୁ ମଧ୍ୟ କଡା ସମାଲୋଚନା କରିବାକୁ ପଛାଇ ନଥିଲେ ଡାଃ. ରାଉତ । ଆଗାମୀ ନିର୍ବାଚନରେ ଦୁର୍ନୀତିଗ୍ରସ୍ତ ବିଧାୟକ ରାଜେନ୍ଦ୍ର ସାହୁଙ୍କୁ ଭୋଟ ନଦେବା ପାଇଁ ଆହ୍ୱାନ ଦେଇଥିଲେ ମହାମେଣ୍ଟର ଉପଦେଷ୍ଟା ସଞ୍ଜୟ ପଟ୍ଟନାୟକ ଓ ସଭାପତି ଜୟସିଂହ । ଟାଙ୍ଗୀ ବ୍ଲକସ୍ତରର ଏହି ମହାମେଣ୍ଟରେ କଂଗ୍ରେସ, ବିଜେପି, ସିପିଏମ ଓ ଅସନ୍ତୁଷ୍ଟ ବିଜେଡି କର୍ମୀମାନେ ସାମିଲ ହୋଇଥିଲେ । ଶେଷରେ ମହାମେଣ୍ଟର ଉପସଭାପତି ତାରାପ୍ରସାଦ ଚ୍ୟାଉପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । REPORT- SHANKAR BEHERA, TANGI ID NO- CO002