ବାତ୍ୟା ‘ତିତଲି’ ଗୋପାଳପୁର ଠାରୁ ମାତ୍ର ୧୦୦ କିମି ଦୂରରେ

ବାତ୍ୟା ଖବର
  • 2018-10-10 21:11:19
  • 433

କାନଭାସ୍ ଓଡିଶା(ବ୍ୟୁରୋ) : ବାତ୍ୟା ‘ତିତଲି’ ଗୋପାଳପୁର ଠାରୁ ମାତ୍ର ୧୦୦ କିମି ଦୂରରେ ଅଛି । ଏହାକୁ ଦୃଷ୍ଟିରେ ରଖି ବାୟୁସେନା ଓ ନୈାସେନାର ମୁଖ୍ୟଙ୍କୁ ଅବଗତ କରାଇଛନ୍ତି ଓଡିଶା ସରକାର । ତେବେ ଯେକୈାଣସି ସମୟରେ ଏମାନଙ୍କ ସାହାଯ୍ୟ ନିଆଯାଇ ପାରେ । ଉପକୂଳ ଜିଲ୍ଲାଗୁଡିକରେ ଏନଡିଆରଏଫ୍ ଓ ଓଡ୍ରାଫ ଟିମ୍ ମଧ୍ୟ ସଜାଗ ରହିଛି । ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଗୋପାଳପୁର ସମୁଦ୍ରକୂଳରେ ପବନର ବେଗ ୧୨୦ କିଲୋମିଟର ରହିଛି । ପ୍ରତ୍ୟୋକ ଜିଲ୍ଲାରେ ସ୍ୱତନ୍ତ୍ର ସହାୟତା କେନ୍ଦ୍ର ଜିଲ୍ଲା ପ୍ରଶାସନ ତରଫରୁ ଖୋଲାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସନ୍ଧ୍ୟା ସମୟରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ବାତ୍ୟା ମୁକାବିଲା ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପର ସମୀକ୍ଷା କରିଥିଲେ । ଗୋପାଳପୁରରେ ସମୁଦ୍ର ଅଶାନ୍ତ ହୋଇଉଠିବା ସହ ଉଚ୍ଚ ଢ଼େଉମାନ କୂଳରେ ମାଡ ହେବାରେ ଲାଗିଛି। ସମୁଦ୍ରର ସୁସୁ ଗର୍ଜନ ସହ ପ୍ରବଳ ବର୍ଷା ଓ ପବନ ଯୋଗୁଁ ସ୍ଥାନୀୟ ଅଞ୍ଚଳର ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ତିତ୍‌ଲି ପ୍ରଭାବରେ କୋଣାର୍କ ଓ ଚନ୍ଦ୍ରଭାଗାରେ ମଧ୍ୟ ବର୍ଷା ଜାରି ରହିଛି। ଏଠାରେ ବର୍ତ୍ତମାନ ୫୦ରୁ ୬୦ କି.ମି. ବେଗରେ ପବନ ବହିବାରେ ଲାଗିଛି । ସମ୍ଭାବ୍ୟ ଝଡ଼ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଉପକୂଳବର୍ତ୍ତୀ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିକ କରାଯାଇଛି । ପ୍ରାୟ ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି । ଆସନ୍ତାକାଲି ସକାଳ ୫ଟା ସୁଦ୍ଧା ଏହା ଗୋପାଳପୁର ନିକଟରେ ସ୍ଥଳଭାଗ ଅତିକ୍ରମ କରିବ । ତିତଲି ଉପକୂଳ ଆଡକୁ ଯେତିକି ପାଖେଇ ଆସିବ ପବନ ଓ ବର୍ଷାର ପରିମାଣ ସେତିକି ଅଧିକ ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ଗୋପାଳପୁରରେ ଥିବା ଡପଲର ରାଡାର ରେଂଜରେ ରହିଛି ‘ତିତଲି’। ତେବେ ଏହା ଆସନ୍ତାକାଲି ସକାଳ ୫ଟାରୁ ୧୧.୩୦ ମଧ୍ୟରେ ଉପକୂଳ ଛୁଇଁବ । ଆଉ ସ୍ଥଳଭାଗ ଛୁଇଁବା ପରେ ୪ ଘଣ୍ଟା ବାତ୍ୟାର ପ୍ରଭାବ ରହିବ ବୋଲି ସୂଚନା ମିଳିଛି । ଗୋପାଳପୁର, ପୁରୀ. ଅସ୍ତରଙ୍ଗ, କୋଣାର୍କ ଓ ପାରାଦୀପର ତଟବର୍ତି ଅଂଚଳରେ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ନିଆଯାଉଛି । ୮୩୬ ବାତ୍ୟା ଆଶ୍ରୟ ସ୍ଥଳୀରେ ବିଶେଷ ବ୍ୟବସ୍ଥା କରାଯାଇଛି । ଡାକ ବାଜି ଯନ୍ତ୍ର ଜରିଆରେ ଲୋକଙ୍କୁ ସତର୍କ କରିଛନ୍ତି ଜିଲ୍ଲା ପ୍ରଶାସନ । ଗଂଜାମ, ଖୋର୍ଦ୍ଧା, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ ଜିଲ୍ଲାରେ ଜାରି କରାଯାଇଛି ରେଡ ୱାର୍ଣିଂ । ରେଡ୍ ୱାର୍ଣିଂ ଜିଲ୍ଲା ଗୁଡିକୁ ଏନଡିଆରଏଫ୍ ଓ ଓଡ୍ରାଫ ଟିମ୍ ପଠାଇ ଦିଆଯାଇଛି ।