୬୬୦କେଜି ଗଞ୍ଜେଇ ସହ ନଗଦ ୮ଲକ୍ଷ ଜବତ

ଅପରାଧ
  • 2018-10-10 05:13:39
  • 285

କାନଭାସ୍ ଓଡିଶା(ବ୍ୟୁରୋ) : ମାଲକାନଗିରି ଜିଲ୍ଲା ସଦର ପୁଲିସକୁ ଏକ ବଡ ସଫଳତା । ପଦ୍ମଗିରି ଅଞ୍ଚଳରୁ ଛତିଶଗଡ ଅଭିମୁଖେ ଏକ ପିକଅପ୍ ଭ୍ୟାନରେ ୬୬୦କେଜି ଗଞ୍ଜେଇ ଚାଲାଣ ହେଉଥିବା ବେଳେ ସଦର ଥାନା ପୋଲିସର ଜାଲରେ ପଡିଯାଇଥିଲା ଉକ୍ତ ଭ୍ୟାନଟି । ସଂପୃକ୍ତ ମାଲକାନଗିରି ତଳସାହିର ଆନନ୍ଦ ଜେନା ଓ ପଦ୍ମଗିରିର ଦିଲିପ କୁମାର ବାଲାକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି, ପଚରାଉଚରା କରାଯିବା ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି ଜିଲ୍ଲା ଏସ୍.ପି. । ଅଭିଯୁକ୍ତଙ୍କ ନିକଟରୁ ନଗଦ ୮ଲକ୍ଷ ଟଙ୍କା ସହ ୪ଟି ମୋବାଇଲ ଫୋନ୍ ସହ କିଛି କାଗଜପତ୍ର ମଧ୍ୟ ଜବତ କରିଛି ସଦର ପୋଲିସ୍ । ତେବେ ଜବତ ଗଞ୍ଜେଇର ଆନୁମାନିକ ମୁଲ୍ୟ ୩୬ଲକ୍ଷ ଟଙ୍କା ହେବ ବୋଲି ସୂଚନା ଦେଇଛନ୍ତି ମାଲକାନଗିରି ଏସ୍.ପି. ଜଗମୋହନ ମିନା । ସୂଚନାଯୋଗ୍ୟ କି କି ଗତ କିଛି ଦିନ ହେଲା ମାଲକାନଗିରି ଜିଲ୍ଲା ଚତ୍ରକୋଣ୍ଡାରେ ପୂର୍ବ ଅପେକ୍ଷା ଅଧିକ ସକ୍ରିୟ ହୋଇଛନ୍ତି ନକ୍ସଲ । ବାରମ୍ବାର ନିଜ ଉପସ୍ଥିତି ଜାହିର କରିବାକୁ କିଛି ନା’ କିଛି କରୁଛନ୍ତି । ଏହିକ୍ରମରେ ଚିତ୍ରକୋଣ୍ଡା ବ୍ଲକର ଦୋରାଗୁଡା ଏବଂ ନୁଆଗୁଡା ପଞ୍ଚାୟତର ବିଭିନ୍ନ ଗ୍ରାମରେ ବହୁ ପୋଷ୍ଟର ମାରିଛନ୍ତି । ସେଥିରେ ଚାଷୀ ଧାନ, ସୁଆଁ, ମାଣ୍ଡିଆ ଚାଷ ବଦଳରେ ଗଞ୍ଜେଇ ଚାଷ କରୁଛନ୍ତି । ଏଥିପାଇଁ ପୁଲିସ ହିଁ ସେମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦେଉଥିବା ଉଲ୍ଲେଖ ହୋଇଛି। ତେଣୁ ତୁରନ୍ତ ଗଞ୍ଜେଇ ଚାଷ ବନ୍ଦ କରିବାକୁ ଦାବି କରିଛନ୍ତି । ଗଞ୍ଜେଇ ମାଫିଆଙ୍କ ଠାରୁ ସ୍ଥାନୀୟ ପୁଲିସ ୧ ଲକ୍ଷ ଟଂକା, ମୁଖ୍ୟାଳୟ ପୁଲିସ ୩ ଲକ୍ଷ ଟଂକା ଏବଂ ଅବକାରୀ ବିଭାଗ ୫ ଲକ୍ଷ ଟଂକା ଚାନ୍ଦା ରୂପେ ନେଉଥିବା ଅଭିଯୋଗ କରିଛନ୍ତି । ପୁଲିସ ଗଞ୍ଜେଇ ଚାଷକୁ ଦେଉଥିବା ପ୍ରୋତ୍ସାହନ ବନ୍ଦ କରନ୍ତୁ ଏବଂ ଏହାକୁ ବିରୋଧ କରିବା ପାଇଁ ଦାବି କରିଛନ୍ତି । ମାଲକାନଗିରିରେ ଗଞ୍ଜେଇ ଚାଷକୁ କିଏ ପ୍ରୋତ୍ସାହନ ଦେଉଛି, ଏହାକୁ ନେଇ ବିବାଦ ଲାଗି ରହିଥିବା ବେଳେ ପୁଲିସ ଏବଂ ନକ୍ସଲ ପରସ୍ପରକୁ ଦୋଷ ଦେଉଛନ୍ତି । ଯାହାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ତେଣୁ ଏହି ଗଞ୍ଜେଇ ଚାଷ ପଛରେ କିଏ ରହିଛି ତାହାର ପର୍ଦାଫାସ ହେବା ଦରକାର ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ବର୍ତମାନ ମାଲକାନଗିରି ଗଂଜେଇର ପେଣ୍ଠସ୍ଥଳୀ ରୂପେ ଉଭା ହୋଇଛି । ଓଡ଼ଶା ସମେତ ଭାରତର ପ୍ରାୟ ସବୁ ରାଜ୍ୟରୁ ବେପାରୀ ମାଲକାନଗିରି ଆସି ଗଂଜେଇ ନେଉଛନ୍ତି । ବିଦେଶକୁ ମଧ୍ୟ ଚେର ଲମ୍ବିଥିବା କୁହାଯାଉଛି। ରାତାରାତି ଧନୀ ହେବାର ଲାଳସାରେ ବହୁ ଯୁବକ, ଯୁବତୀ ବିପଥାଗାମୀ ହେଉଛନ୍ତି । ତେଣୁ ଜିଲ୍ଲାରେ ଗଂଜେଇ ଚାଷ କେବେ ବନ୍ଦ ହେଉଛି ଦେଖିବାକୁ ବାକି ରହିଲା । ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ମାଲକାନଗିରି ପୋଲିସ ୭୨ଟି ଏନଡିପିଏସ୍ କେସ୍ ରୁଜୁ କରିବା ସହ ୧୬୫୭୫କେଜି ଗଞ୍ଜେଇ ଜବତ କରିଛି ।ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ୧୪୮ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ତାସହ ୧୮ଟି ମୋଟରସାଇକେଲ, ୪୪ଟି ଚାରିଚକିଆ ଯାନ ଏବଂ ୭ଟି ଟ୍ରକ ମଧ୍ୟ ଜବତ କରିଥିବା ସୂଚନା ମିଳିଛି ।