ଓଡ଼ିଆ ବଶ୍ୱବିଦ୍ୟାଳୟର ଶିଳାନ୍ୟାସ : “ପ୍ରଥମ ଛାତ୍ର ଭାବେ ମୁଖ୍ୟମନ୍ତ୍ରୀ ନାମ ଲେଖାନ୍ତୁ”-ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା

ତାଜା ଖବର
  • 2018-10-09 21:23:34
  • 414

କାନଭାସ୍ ଓଡିଶା(ବ୍ୟୁରୋ) : ସାକ୍ଷୀଗୋପାଳ, ସତ୍ୟବାଦୀ, ବକୁଳବନର ୨୮.୩୪ଏକର ପରିମିତ ଜମିରେ ଓଡିଆ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି । ଏ ଅବସରରେ ପଞ୍ଚସଖା ଓଡିଆ ନବଜାଗରଣର ଯେଉଁ ସ୍ୱପ୍ନ ଦେଖୁୁଥିଲେ ତାହାକୁ ଓଡିଶା ବିଶ୍ୱବିଦ୍ୟାଳୟ ଆହୁରି ଆଗକୁ ନେବା ସହିତ ଓଡିଆ ଭାଷା ସାହିତ୍ୟକୁ ଏହି ବଶ୍ୱବିଦ୍ୟାଳୟ ସମୃଦ୍ଧ କରିବ ବୋଲି ସେ କହିଥିଲେ । ଏହି ଉତ୍ସବରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ କହଥିଲେ ଯେ, ୧୯୦୯ ମସିହା କାର୍ତ୍ତିକ ପୂର୍ଣ୍ଣିମାରେ ଜଳିଥିବା ଦୀପ ଏବେ ଉଜ୍ଜ୍ୱଳ ଜ୍ୟୋତିଷ୍କରରେ ପରିଣତ ହୋଇଛି । ସେହି ଉଜ୍ଜ୍ୱଳ ଜ୍ୟୋତିଷ୍କ ହେଉଛି ଓଓଡିଆ ବିଶ୍ୱବିଦ୍ୟାଳୟ । ଓଡିଆ ବିଶ୍ୱବିଦ୍ୟାଳୟ ପାଇଁ କୁଳପତି ରେଜିଷ୍ଟାର ପଦବୀ ସୃଷ୍ଟି କରାଯାଇଛି । ଏଏସବି ମଧ୍ୟ ନିଯୁକ୍ତ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ମନ୍ତ୍ରୀ ତଥା କୃଷି ମନ୍ତ୍ରୀ ପ୍ରଦୀପ ମହାରଥି, ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ, ବ୍ରହ୍ମଗିରି ବିଧାୟକ ସଞ୍ଜୟ ଦାସବର୍ମା, ଏମପି ପିନାକୀ ମିଶ୍ର, ଜିଲ୍ଲାପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳାଇ, ଉନ୍ନୟନ ଆୟୁକ୍ତ, ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ, ସଂସ୍କୃତି ବିଭାଗର ସଚିବ ମନୋରଞ୍ଜନ ପାଣିଗ୍ରାହୀ, ଉଚ୍ଚଶିକ୍ଷା ସଚିବ ବିଷ୍ଣୁପଦ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଅତିରିକ୍ତ ଜିଲ୍ଲାପାଳ ବିଜୟ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଆଜି ଓଡ଼ିଆ ବଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି କଂଗ୍ରେସର ବରିଷ୍ଠ ନେତା ଶ୍ରୀକାନ୍ତ ଜେନା। ଅନ୍ୟପକ୍ଷରେ ସେ ତାଙ୍କୁ କଟାକ୍ଷ କରିବାକୁ ମଧ୍ୟ ପଛାଇ ନାହାନ୍ତି। ସେ କହିଛନ୍ତି, ଓଡ଼ିଆ ଭାଷା ଶିଖିବା ପାଇଁ ପ୍ରଥମ ଛାତ୍ର ଭାବେ ମୁଖ୍ୟମନ୍ତ୍ରୀ ସେଠାରେ ନାମ ଲେଖାନ୍ତୁ। ସେ କହିଛନ୍ତି-“ଓଡ଼ିଶାର ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ବିଷୟ ରହିଛି। ଏହା ସତ୍ତ୍ୱେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ଏକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାରେ କାହାର କିଛି ଆପତ୍ତି ନାହିଁ। ମୂଳ କଥା ହେଉଛି, ଓଡ଼ିଆ ଭାଷାର ପ୍ରଚାର ସମ୍ପର୍କରେ। ଅଭିଯୋଗ ହେଉଛି, ମୁଖ୍ୟମନ୍ତ୍ରୀଙ୍କର ଓଡ଼ିଆ ଭାଷା ପ୍ରତି ରୁଚି ନାହିଁ। ସ୍ୱଭାବିକ କଥା, ପିଲାବେଳୁ ସେ ବାହାରେ ରହୁଥିଲେ ଓ ଓଡ଼ିଆ ପଢ଼ି ନାହାନ୍ତି, ସେଥିପାଇଁ ଓଡ଼ିଆ ଭାଷା ଜ୍ଞାନ ତାଙ୍କର ନାହିଁ। ଏହି ବିଶ୍ୱବିଦ୍ୟାଳୟ ହେଲା ପରେ ସେ ହୁଏତ ସେଥିରେ ନାମ ଲେଖାଇ ପାରନ୍ତି। ଏହି ବିଶ୍ୱବିଦ୍ୟାଳୟ ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଆ ଭାଷା ସମ୍ପର୍କରେ ଜାଣିବା ପାଇଁ ସୁଯୋଗ ଦେବ। ସେ ପ୍ରଥମ ଛାତ୍ର ଭାବେ ନାମ ଲେଖାଇପାରନ୍ତି।” ସେ କହିଛନ୍ତି-“ଓଡ଼ିଆଙ୍କ ଭାବାବେଗ ସହିତ ଜଡ଼ିତ ରହିଛି ଓଡ଼ିଆ ବିଶ୍ୱବିଦ୍ୟାଳୟ। ସେଥିରେ କାହାର କିଛି କହିବାର ନାହିଁ। କିନ୍ତୁ ଆମ ଅଫିସରମାନେ ଯଦି ଇଂଲିଶ ଛାଡ଼ି ଓଡ଼ିଆ ଭାଷାରେ ଚିଠି ଲେଖନ୍ତେ, ଭଲ ହୁଅନ୍ତା। ଅନେକ ସମୟରେ ଦେଖିବାକୁ ମିଳିଛି, ଓଡ଼ିଶାରେ କାର୍ଯ୍ୟରତ ଅଣଓଡ଼ିଆ ଅଫିସରମାନେ ଓଡ଼ିଆ ଭାଷା ଜାଣିନହାନ୍ତି। ଯେଉଁଥିପାଇଁ ଓଡ଼ିଆ ଲୋକଙ୍କ ସହିତ ସେମାନେ କଥାବାର୍ତ୍ତା ହୋଇପାରୁନାହାନ୍ତି। ଯଦି ଓଡ଼ିଆ ଭାଷାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି, ତାହାହେଲେ ଏହା ଉପରେ ଆଲୋଚନା କରିବାର ସମୟ ଆସିଛି। ଭାଷାବିତଙ୍କ ସହିତ ଆଲୋଚନା କରି ନିଷ୍ପତ୍ତି ନିଅନ୍ତୁ। ଯଦି ରାଜନୈତିକ ଦୃଷ୍ଟିକୋଣରୁ ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଉଛି, ତାହାହେଲେ କିଛି କହିବାର ନାହିଁ।”