ଉତ୍କଳର ଦରଦୀ ବନ୍ଧୁ ଉତ୍କଳମଣି ଗୋପବନ୍ଧୁ

ତାଜା ଖବର
  • 2018-10-09 05:43:50
  • 255

କାନଭାସ୍ ଓଡିଶା(ବ୍ୟୁରୋ) : ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟଙ୍କ ଦ୍ବାରା “ଉତ୍କଳମଣି” ଉପାଧିରେ ଭୂଷିତ ଗୋପବନ୍ଧୁ ଦାଶ(୧୮୭୭-୧୯୨୮)ଙ୍କ ମହାପ୍ରୟାଣର ୭୦ ବର୍ଷ ପରେ ମଧ୍ୟ ସେ ଓଡ଼ିଆଙ୍କ ନିକଟରେ ଏକ ପରିଚିତ ନାମ । ୧୮୯୪ ମସିହାରୁ ୧୯୨୮ ମସିହା ପର‌୍ୟ୍ୟନ୍ତ ଗୋପବନ୍ଧୁ ଓଡିଶାର ସାହିତ୍ୟ, ସାମ୍ବାଦିକତା, ରାଜନୀତି, ଶିକ୍ଷାବ୍ୟବସ୍ଥା, ଗଣଆନ୍ଦୋଳନ ସହିତ ସାମଗ୍ରୀକଭାବେ ଓଡିଆ ଜାତିର ଅବଚେତନରେ ଆପଣାର ଅନତିକ୍ରାନ୍ତ ପ୍ରଭାବ ବିସ୍ତାର କରିଥିଲେ, ଯାହା ଆଜି ମଧ୍ୟ ମଳିନ ପଡ଼ିନାହିଁ । ଦେବତାର ଛଡାଫୁଲ ଓ ପାଦୁକା ଭକ୍ତ ନିକଟରେ ଯେଭଳି ପବିତ୍ରତମ ବସ୍ତୁ, ସେହିଭଳି ଗୋପବନ୍ଧୁଙ୍କର ନିତ୍ୟ ବ୍ୟବହାର‌୍ୟ୍ୟ ବସ୍ତୁଠାରୁ ଆରମ୍ଭକରି ଡାଏରୀ, ଚିଠିପତ୍ର ଓ ଅଭିଭାଷଣ ପର‌୍ୟ୍ୟନ୍ତ, ସବୁକିଛି ଆଜି ଓଡିଆ ଜାତିପାଇଁ ପବିତ୍ର ଅମୂଲ୍ୟ ସମ୍ପଦ । ଜଣେ ଦରଦୀ ବ୍ୟକ୍ତି ଭାବେ ପରିଚିତ ଗୋପବନ୍ଧୁଙ୍କ ଦ୍ବାରା ପ୍ରତିଷ୍ଠିତ ଦୈନିକ ସମ୍ବାଦପତ୍ର "ସମାଜ" ଓଡ଼ିଆ ସମ୍ବାଦପତ୍ର ଜଗତରେ ଏକ ପରିଚିତ ନାମ । ତାଙ୍କ ଲେଖାଗୁଡ଼ିକ ମଧ୍ୟରେ ବନ୍ଦୀର ଆତ୍ମକଥା, କାରା କବିତା ଓ ଅବକାଶ ଚିନ୍ତା ଆଦି ସଙ୍କଳନ ଓଡ଼ିଆ ପାଠକମାନଙ୍କ ନିକଟରେ ବେଶ୍‌ ପରିଚିତ ଏବଂ ପଠିତ ପୁସ୍ତକ ଅଟେ । ଗୋପବନ୍ଧୁ, ୧୮୭୭ ମସିହା ଅକ୍ଟୋବର ମାସ ୯ ତାରିଖରେ ପିତା ଦୈତାରି ଦାସ ଓ ମାତା ସ୍ଵର୍ଣ୍ଣମୟୀ ଦେବୀଙ୍କ ସନ୍ତାନ ଭାବେ ପୁରୀ ଜିଲ୍ଲାର ସୁଆଣ୍ଡୋ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ମାତାଙ୍କ ମୃତ୍ୟୁ ପରେ, ୧୮୯୩ ମସିହାରେ ପୁରୀ ଜିଲ୍ଲା ସ୍କୁଲରେ ନାମ ଲେଖାଇଲେ । ସେଠାରେ ତାଙ୍କର ଗୁରୁ ମୁକ୍ତିଆର ରାମଚନ୍ଦ୍ର ଦାସଙ୍କ ସହିତ ପରିଚୟ ହେଲା, ଯାହଙ୍କ ଠାରୁ ପରେ ସେ ଦେଶ ସେବାର ଶିକ୍ଷା ପାଇଲେ । ଗୋପବନ୍ଧୁଙ୍କଦ୍ୱାରା ହିଁ ପୁରୀରେ ସେତେବେଳେ, ହଇଜା ରୋଗରେ ପୀଡ଼ିତ ଲୋକମାନଙ୍କର ସେବା ପାଇଁ ପୁରୀ ସେବା ସମିତି ପ୍ରତିଷ୍ଠା କରାଯାଇଥିଲା । ପୁରୀ ସେବା ସମିତି ଗଠନ କରି, ସେ ଆପଣା ଜୀବନକୁ ବିପନ୍ନ କରି ସାଥୀମାନଙ୍କ ସହ ରୋଗୀସେବା, ପରିବେଶ ପରିଚ୍ଛନ୍ନ ଓ ଶବସଂସ୍କାର ଇତ୍ୟାଦି କାମରେ ଲାଗିପଡ଼ିଥିଲେ । ପଣ୍ଡିତେ ମାତ୍ର ୧୨ ବର୍ଷ ବୟସରେ ଅପତୀ ଦେବୀଙ୍କୁ ବିବାହ କରିଥିଲେ । ବିବାହ ପରେ ମଧ୍ୟ ସେ ପାଠ ପଢ଼ା ଜାରିରଖିଥିଲେ । ପୁରୀରୁ ମାଟ୍ରିକ ପାସ କରି, ସେ କଟକର ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟୟନ କଲେ । ଏହି ସମୟରେ ତାଙ୍କର ପିତୃବିୟୋଗ ଘଟିଥିଲା । କଟକରେ ଅଧ୍ୟୟନ ସମୟରେ ଓଡ଼ିଆ ଭାଷାର ବିଲୋପ ଚକ୍ରାନ୍ତ ବିରୋଧରେ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଗୋପବନ୍ଧୁ, 'କର୍ତବ୍ୟ ବୋଧିନୀ ସମିତି' ଗଠନ କରି ଓଡ଼ିଆ ଭାଷା ବିଲୋପର ତୀବ୍ର ପ୍ରତିବାଦ କଲେ । ତାଙ୍କର ଆହ୍ଵାନ ଥିଲା, 'ପ୍ରତ୍ୟେକ ବ୍ୟକ୍ତି ଓ ଜାତିର ପରିଚୟ ହେଉଛି ତାହାର ଭାଷା । ଭାଷାହିଁ ଜାତିର ପ୍ରାଣସ୍ପନ୍ଦନ ।' ରମ୍ଭାଠାରେ ରାମଚନ୍ଦ୍ର ଦାଶ ଓ ଗୋପବନ୍ଧୁଙ୍କ ଉଦ୍ୟମରେ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ ଅନୁଷ୍ଠିତ ହେଲା । ୧୯୦୩ରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କଦ୍ଵାରା ଆହୂତ ଉତ୍କଳ ସମ୍ମିଳନୀରେ ଗୋପବନ୍ଧୁ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଏହି ସମୟରେ, ତାଙ୍କର ପ୍ରଥମ ପୁତ୍ରସନ୍ତାନଟିର ମୃତ୍ୟୁ ଘଟିଥିଲା । ଏହିପରି ନାନାଦି ବାଧାବିଘ୍ନ ସତ୍ତ୍ଵେ ସେ ୧୯୦୪ ମସିହାରେ ରେଭେନ୍ସା ମହାବିଦ୍ୟାଳୟରୁ ବିଏ ପାସ କଲେ ଓ କଲିକତାରେ ବିଏଲ ପଢ଼ିଲେ । ସେଠାରେ ପ୍ରବାସୀ ଓଡ଼ିଆଙ୍କ ଦୁଃଖଦୁର୍ଦ୍ଦଶାରେ ବ୍ୟଥିତ ହୋଇ, ସେ 'ଓଡ଼ିଆ ଶ୍ରମିକ ସଂଘ' ଓ 'ସାନ୍ଧ୍ୟ ବିଦ୍ୟାଳୟ' ପ୍ରତିଷ୍ଠା କରିଥିଲେ । ଇତି ମଧ୍ୟରେ ତାଙ୍କର ଦ୍ଵିତୀୟ ପୁତ୍ରଟିର ମଧ୍ୟ ମୃତ୍ୟୁ ଘଟିଥିଲା । ଏପରିକି, ଯେଉଁଦିନ ସେ ବିଏଲ ପାସ କରିଛନ୍ତି ବୋଲି ଖବର ପାଇଥିଲେ, ସେହିଦିନ ତାଙ୍କୁ ନିଜ ପତ୍ନୀଙ୍କର ମୃତ୍ୟୁ ସମ୍ବାଦ ମଧ୍ୟ ମିଳିଥିଲା । ଏତେ ସବୁ ଦୁଃଖ କିନ୍ତୁ ତାଙ୍କୁ ନିଜ କର୍ମରୁ ବିଚ୍ୟୁତ କରିପାରିନଥିଲା । ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କର ଯୋଗଦାନ ଅତୁଳନୀୟ ରହିଥିଲା । ଆଧୁନିକ ଯୁଗର ପଞ୍ଚସଖାମାନଙ୍କ ମଧ୍ୟରେ ସେ ଅନ୍ୟତମ ଥିଲେ । ଭକ୍ତକବି, ମଧୁସୂଦନ ରାଓଙ୍କ ନିଷ୍ପତି କ୍ରମେ, ଗୋପବନ୍ଧୁ ସାକ୍ଷୀଗୋପାଳର ବକୁଳ ଓ ଛୁରିଆନା କୁଞ୍ଜରେ ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ଏହି ବିଦ୍ୟାଳୟରୁ ସେତେବେଳେ ଜାତୀୟ ସ୍ଵାଧୀନତା ଆନ୍ଦୋଳନ ପରିଚାଳିତ ହେଉଥିଲା । ୧୯୧୮ରୁ ୧୯୨୦ ମଧ୍ୟରେ ଓଡ଼ିଶାରେ ସଂଘଟିତ ବନ୍ୟା, ମରୁଡ଼ି, ଦୁର୍ଭିକ୍ଷ ଓ ଅନାବୃଷ୍ଟି ତାଙ୍କୁ ମର୍ମାହତ କରିଥିଲା । ସେ ଚୁଡ଼ା, ଚାଉଳ ଧରି ପ୍ରପୀଡ଼ିତ ଅଞ୍ଚଳରେ ବାଣ୍ଟିଥିଲେ । ଓଡ଼ିଶା ଲୋକଙ୍କର ଦୁର୍ଦ୍ଦଶା, ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ, ଅହିଂସା ଆନ୍ଦୋଳନ, ମହାତ୍ମା ଗାନ୍ଧୀଙ୍କ ବାର୍ତ୍ତା ଓ ଜାତୀୟ କଂଗ୍ରେସର ଆଭିମୁଖ୍ୟ ପ୍ରଚାର ତଥା ଜନସାଧାରଣଙ୍କୁ ଅବଗତ କରାଇବାର ଅଭିପ୍ରାୟରେ, ଗୋପବନ୍ଧୁ ୧୯୧୯ ଅକ୍ଟୋବର ମାସ ୪ ତାରିଖ, ଦଶହରା ତିଥିରେ ପ୍ରକାଶ କଲେ 'ସାପ୍ତାହିକ ସମାଜ' । ପ୍ରଥମେ ଏହା ସତ୍ୟବାଦୀରୁ, ୧୯୨୪ ମସିହାରେ ପୁରୀରୁ ଓ ୧୯୨୭ ମସିହାରେ କଟକରୁ ପ୍ରକାଶିତ ହେଉଥିଲା । 'ସମାଜ'ର ପ୍ରଥମ ସମ୍ପାଦକୀୟରେ, ମାନବବାଦୀ ଗୋପବନ୍ଧୁ ସମାଜର ସକଳ ଶ୍ରେଣୀ ମାନବଙ୍କର ସ୍ନେହ, ପ୍ରୀତି ଓ ସଦିଚ୍ଛା କାମନା କରିଥିଲେ । ୧୯୩୦ରେ 'ସାପ୍ତାହିକ ସମାଜ', 'ଦୈନିକ ସମାଜ'ରେ ପରିଣତ ହୋଇଥିଲା । 'ସମାଜ'ରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଓ ଇଂରେଜ ସରକାରଙ୍କ ଅବିଚାର ସମ୍ପର୍କରେ ନିର୍ଭୀକ ସମ୍ବାଦ ପରିବେଷଣ କରି, ସେ ୧୯୨୨ ମସିହାରେ କାରାବରଣ କରିଥିଲେ । କାରାଗାରରେ ତାଙ୍କ ଲେଖନୀରୁ ନିଃସୃତ ହୋଇଥିଲା 'କାରାକବିତା' ଓ 'ବନ୍ଦୀର ଆତ୍ମକଥା' । ୧୯୨୪ରେ ଜେଲରୁ ଖଲାସ ହେବାପରେ କଟକଠାରେ ଅନୁଷ୍ଠିତ ବିଶାଳ ସମ୍ବର୍ଦ୍ଧନା ସଭାରେ, ବିଶିଷ୍ଟ ବୈଜ୍ଞାନିକ ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟ ତାଙ୍କୁ 'ଉତ୍କଳମଣି' ବୋଲି ସମ୍ବୋଧନ କରିଥିଲେ । ସମବେତ ଜନତା କରତାଳି ମାଧ୍ୟମରେ ଏହି ଉପାଧିକୁ ସ୍ଵିକୃତି ଦେଇଥିଲେ । ଗୋପବନ୍ଧୁଙ୍କ ସେବା, ତ୍ୟାଗ ଓ ଦରଦୀ ହୃଦୟରେ ପ୍ରୀତ ହୋଇ, ଲାଲା ଲାଜପତ ରାୟ, ତାଙ୍କୁ ଲୋକସେବକ ମଣ୍ଡଳର ସଦସ୍ୟ ରୂପେ ଗ୍ରହଣ କରିଥିଲେ । ପରେ, ସେ ଏହି ଅନୁଷ୍ଠାନର ଉପାଧ୍ୟକ୍ଷ ଭାବରେ ମନୋନୀତ ହୋଇଥିଲେ । ୧୯୨୮ ମସିହାରେ ଲୋକସେବକ ମଣ୍ଡଳର ବୈଠକରେ ଯୋଗଦାନ କରିବା ପାଇଁ, ଲାହୋର ଯିବାବାଟରେ, ଗୋପବନ୍ଧୁ କଲିକତାଠାରେ ଆନ୍ତ୍ରିକ ଜ୍ଵରରେ ଆକ୍ରାନ୍ତ ହୋଇ ସତ୍ୟବାଦୀ ଫେରିଆସିଥିଲେ । ଦିନକୁ ଦିନ ତାଙ୍କର ସ୍ଵାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିଥିଲା । ମୃତ୍ୟୁ ପୂର୍ବରୁ, ସେ ନିଜର ଇଚ୍ଛାପତ୍ରରେ, 'ସମାଜ' ଓ 'ସତ୍ୟବାଦୀ ପ୍ରେସ'ର ପରିଚାଳନା ଭାର ଲୋକସେବକ ମଣ୍ଡଳକୁ ଅର୍ପଣ କରିଥିଲେ । ଇଚ୍ଛାପତ୍ର ସମ୍ପାଦନର ଦୁଇ ଘଣ୍ଟାପରେ ୧୯୨୮ ମସିହା ଜୁନ ୧୭ ତାରିଖ, ରବିବାର ସନ୍ଧ୍ୟା ଘ.୭-୨୫ମିନିଟରେ, ଗୋପବନ୍ଧୁ ଶେଷନିଃଶ୍ଵାସ ତ୍ୟାଗ କରିଥିଲେ ।