ସରକାରୀ ସ୍ତରରେ ତ୍ରୃଟି ଯୋଗୁଁ ବହୁ ହିତାଧିକାରୀ ଚାଉଳ ନପାଇ ନିରାଶ

ରାଜ୍ୟ ଖବର
  • 2018-10-06 17:50:05
  • 419

କାନଭାସ୍ ଓଡିଶା(ବ୍ୟୁରୋ) : ସରକାରୀ ସ୍ତରରେ ତ୍ରୁଟି ଯୋଗୁଁ ବୈପାରୀଗୁଡ଼ା ବ୍ଲକର ପ୍ରାୟ ୮ ଶହରୁ ୧ ହଜାର ହିତାଧିକାରୀ ଗତ ଅଗଷ୍ଟ ଓ ସେପ୍ଟେମ୍ବର ରାସନ କାର୍ଡ ଚାଉଳରୁ ବଞ୍ଚତ୍ତ ହୋଇଛନ୍ତି । ଗତ ମାସରେ ଏକକାଳୀନ ଉପରୋକ୍ତ ଦୁଇଟି ମାସର ଚାଉଳ ହିତାଧିକାରୀଙ୍କୁ ଦିଆଯାଇଥିଲା, ତେବେ ୪୨୩ କୁଇଣ୍ଟାଲ ଚାଉଳ ନିଅଣ୍ଟ ପଡିବାରୁ ବହୁ ହିତାଧିକାରୀ ଚାଉଳ ପାଇ ପାରିନାହାନ୍ତି । ଅନୁସନ୍ଧାନରୁ ଜଣାପଡ଼ିଛି, ହିତାଧିକାରୀ ଚାଉଳ ନେବାବେଳେ ଏ ସଂପର୍କିତ ତଥ୍ୟ ବାୟୋମେଟ୍ରିକ ମେସିନରେ ଏଣ୍ଟ୍ରି ହୋଇଥାଏ । ତେବେ ଦୁର୍ଗମ ଇଲାକାରେ ନେଟ୍‌ ସୁବିଧା ନ ଥିବାରୁ ଅଫ୍‌ ଲାଇନ୍‌ ମୋଡ୍‌ରେ ଏଣ୍ଟ୍ରି କରାଯାଇଥାଏ, ଏଥିରେ ଯାହା ଭୁଲ୍‌ ଭଟକା ଥାଏ, ପ୍ରତିମାସ ୨୫ ତାରିଖରେ ଯୋଗାଣ ନିରୀକ୍ଷକଙ୍କ ଦ୍ବାରା ସଂଶୋଧନ କରାଯାଇ ଅନଲାଇନ୍‌ରେ ଅପଡେଟ୍‌ କରାଯାଇଥାଏ । ଗତ ଜୁଲାଇରେ ସେତେବେଳେ କୁନ୍ଦୁରା ବ୍ଲକ ଯୋଗାଣ ନିରୀକ୍ଷକ ବିଶ୍ୱଜିତ୍‌ ଦାସ ବୈପାରୀଗୁଡା ବ୍ଲକର ଅତିରିକ୍ତ ଦାୟିତ୍ବରେ ଥିଲେ । ସେ ଛୁଟିରେ ଥିବାରୁ ୨୫ ତାରିଖରେ ମେସିନ୍‌ରେ ଅଟୋମେଟିକ ଅପଡେଟ୍‌ ହୋଇଥିଲା । ଏହି ତ୍ରୁଟି କିନ୍ତୁ ପରେ ସଂଶୋଧିତ ହୋଇପାରିଲା ନାହିଁ। ୪୨୩ କୁଇଣ୍ଟାଲ ଚାଉଳ ବଳକା ଷ୍ଟକ ଥିବା ଭୁଲ ତଥ୍ୟ ଯାଇଥିଲା ା ଯେଉଁଥିପାଇଁ ଅଗଷ୍ଟ ସେପ୍ଟେମ୍ବର କୋଟାରୁ ସେତିକି ପରିମାଣ ଚାଉଳ କଟାଯାଇ ଆସିଥିଲା । ଏବେ ଚାଉଳ ନ ପାଇ ଲୋକେ ପ୍ରଶାସନକୁ ଘେରିଥିବା ବେଳେ ଏ ସଂପର୍କରେ ରିପୋର୍ଟ ଉପର ମହଲକୁ ଯାଇଛି ଏବଂ ଚାଉଳ ଆସିଲେ ସେମାନଙ୍କୁ ଦିଆଯିବ ବୋଲି ପ୍ରଶାସନ କହୁଛି । କିନ୍ତୁ ଚାଉଳ କେବେ ଆସିବ କି ନାହିଁ ସେ ସଂପର୍କରେ ପ୍ରଶାସନ ପାଖରେ କୌଣସି ଉତ୍ତର ନାହିଁ । ଏ ସଂପର୍କରେ ଏଠାରେ ନୂଆରେ ଯୋଗ ଦେଇଥିବା ଯୋଗାଣ ନିରୀକ୍ଷକ ମମତା ବେହେରାଙ୍କୁ ପଚାରିବାରୁ ଏହା ତାଙ୍କ ସମୟରେ ହୋଇନାହିଁ ବୋଲି କହିବା ସହ ଏ ସଂପର୍କରେ ଉଚ୍ଚ କର୍ତ୍ତୃପକ୍ଷ ଓ ଜିଲାପାଳଙ୍କୁ ବିଡିଓ ଅବଗତ କରିଥିବା ସେ କହିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ କୁନ୍ଦୁରା ବ୍ଲକରେ ମଧ୍ୟ ୧ ଶହ କୁଇଣ୍ଟାଲ ଚାଉଳ ନିଅଣ୍ଟିଆ ଥିଲା । କିନ୍ତୁ ପରେ ସେହି ଚାଉଳ ଫେରିପାଇଥିବା ବେଳେ ବୈପାରୀଗୁଡା ବ୍ଲକରେ ସ୍ଥିତି ରହସ୍ୟଜନକ ରହିଛି । REPORT- SURAJ KUMAR BEHERA, MALKANGIRI, ID NO- CO003