ରନ୍ଧନ ଗ୍ୟାସର ଦରବୃଦ୍ଧି ନେଇ ମହିଳା ବିଜେଡିର ବିକ୍ଷୋଭ

ତାଜା ଖବର
  • 2018-10-04 14:21:27
  • 229

କାନଭାସ୍ ଓଡିଶା(ବ୍ୟୁରୋ) : ଉଜ୍ଜ୍ୱଳା ଯୋଜନାରେ ଦୁର୍ନୀତି ତଥା କେନ୍ଦ୍ରର ମହିଳା ମାନଙ୍କୁ ଶୋଷିତ କରାଯାଉଥିବା ନେଇ ଆଜି ମହିଳା ବିଜେଡି ପକ୍ଷରୁ ଆଇଓସିଏଲ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଗରିବ ମହିଳାଙ୍କ ଆଖିରୁ ଲୁହ ପୋଛିବା ପାଇଁ ଏହି ଯୋଜନା କରାଯାଇଥିବା ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ଓ ବିଜେପି ନେତାମାନେ ଜୋରଦାର ପ୍ରଚାର କରୁଥିବା ବେଳେ ବାସ୍ତବରେ ଏହି ଯୋଜନା ମହିଳାଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ ଉଠିଛି । ଆଜି ପୂର୍ବାହ୍ନ ୧୦ଟାରେ ଦଳ ପକ୍ଷରୁ ଚନ୍ଦ୍ରଶେଖରପୁରସ୍ଥିତ ଆଇଓସିଏଲ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଉଜ୍ଜ୍ୱଳା ଯୋଜନା ଏନ୍‍ଡିଏ ସରକାରର ଏକ ବଡ଼ ଦୁର୍ନୀତି ବୋଲି ପ୍ରମାଣିତ ହୋଇଛି। ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ଗ୍ୟାସ୍‍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଉଜ୍ଜ୍ୱଳା ଯୋଜନା ଆରମ୍ଭ ହେବା ଦିନଠାରୁ ଗତ ଜୁଲାଇ ୩୦ ତାରିଖ ସୁଦ୍ଧା ଓଡ଼ିଶାରେ ୩୦ଲକ୍ଷ ୪୮ ହଜାର ଜଣ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି। ରାଜ୍ୟରେ ଏହି ହିତାଧିକାରୀଙ୍କ ମଧ୍ୟରୁ ୨୦୧୬-୧୭ ଆର୍ôଥକ ବର୍ଷରେ ୮,୧୮,୭୮୬ ହିତାଧିକାରୀ ଦ୍ୱିତୀୟ ଥର ରିଫିଲିଂ କରିଥିବା ବେଳେ ୨୦୧୭-୧୮ରେ ବର୍ତ୍ତମାନ ସୁଦ୍ଧା ଏହା ହ୍ରାସ ପାଇ ୬,୪୫,୨୬୫ରେ ପହଞ୍ଚିଛି। ଏଥିରୁ ପ୍ରକୃତ ଦୃଶ୍ୟ ବାରି ହୋଇପଡୁଛି। କେନ୍ଦ୍ରମନ୍ତ୍ରୀଙ୍କ ଜିଲା ଅନୁଗୋଳରେ ୧୦୫୫୦୮ ଜଣ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇଥିଲା। ୨୦୧୬-୧୭ରେ ମାତ୍ର ୩୫୪୦୬ ଜଣ ଏବଂ ୨୦୧୭-୧୮ରେ ଅଦ୍ୟାବଧି ୧୬୯୫୦ ଜଣ ହିତାଧିକାରୀ ଦ୍ୱିତୀୟ ରିଫିଲିଂ ନେଇଛନ୍ତି। ଏହି ପରିସଂଖ୍ୟାନ ଅନୁଯାୟୀ ଓଡ଼ିଶାରେ ୨୪ଲକ୍ଷ ସିଲିଣ୍ଡର ରିଫିଲିଂ ହେଉନଥିବା ବେଳେ ଏହି ସିଲିଣ୍ଡରଗୁଡିକ କଳାବଜାର କରାଯାଇଛି। ଅନ୍ୟପକ୍ଷରେ ଉଜ୍ଜ୍ୱଳା ଯୋଜନାର ସବ୍‍ସିଡି ଅର୍ଥ ଠିକ୍‍ ରୂପେ ହିତାଧିକାରୀଙ୍କ ଖାତାକୁ ଆସୁନାହିଁ। ବିଜେପି ନେତାମାନେ ହିତାଧିକାରୀ ଚିହ୍ନଟ କରିଛନ୍ତି। ବିଜେପି ଗଣମାଧ୍ୟମରେ ନିଜର ସ୍ଥିତିକୁ ଜାହିର କରିବା ପାଇଁ ଏହି ଯୋଜନାକୁ ନେଇ ଯେଉଁ ବାତାବରଣ ସୃଷ୍ଟି କରୁଛି ସେଥିରୁ ନିବୃତ ରହିବା ଉଚିତ ବୋଲି ସେ କହିଥିଲେ। ତୈଳ କମ୍ପାନୀଗୁଡିକ ହଜାର ହଜାର କୋଟି ଟଙ୍କାର ଲାଭ କରୁଥିବା ବେଳେ ସାଧାରଣ ଗୃହିଣୀମାନଙ୍କ ଉପରେ କେନ୍ଦ୍ର ସରକାର ରନ୍ଧନ ଗ୍ୟାସ୍‍ ମୂଲ୍ୟ ବୃଦ୍ଧି କରି ଯେଉଁ ଛାଟ ମାରିଛନ୍ତି, ତାହାକୁ ଓଡ଼ିଶାର ମହିଳାମାନେ କଦାପି ବରଦାସ୍ତ କରିବେ ନାହିଁ। ଉଜ୍ଜ୍ୱଳା ଯୋଜନାର ମହା ଦୁର୍ନୀତି ପରେ ରନ୍ଧନ ଗ୍ୟାସ୍‍ର ମୂଲ୍ୟ ବୃଦ୍ଧି, କଟା ଘା’ରେ ଚୂନ ସଦୃଶ।