ଆଜିର ଦିନରରେ ଗଣସ୍ୱାର୍ଥରେ ଗଣମାଧ୍ୟମ ନିୟୋଜିତ କି ?

ଶାଣିତ ସ୍ୱର
  • 2018-10-03 17:31:21
  • 524

କାନଭାସ୍ ଓଡିଶା(ବ୍ୟୁରୋ) : ‘କୈାଣସି ଜଣେ ଶାସକ’ ପ୍ରଶାସକ ସମ୍ପ୍ରୂ୍ଣ୍ଣ ରୂପେ ସ୍ୱଚ୍ଛ ତଥା ନିରପେକ୍ଷ ରହିପାରିବେ ନାହିଁ ବୋଲି ଅନୁଭବ କରି ‘ଗଣମାଧ୍ୟମ’କୁ ସୃଷ୍ଟି କରାଯାଇଥିଲା । ସେମାନଙ୍କର ତୃଟି ଧରି ସୁଧାରିବାକୁ । ସେଇଥିପାଇଁ ତ ଗଣମାଧ୍ୟମକୁ ସବୁବେଳେ ‘ସରକାର ବିରୋଧି’ ବୋଲି କୁହାଯାଏ ଓ ଏଥିରେ ନିୟୋଜିତ ରହୁଥିଲେ ସ୍ୱଚ୍ଛ ଓ ନିରପେକ୍ଷ ସ୍ୱଭାବର ବ୍ୟକ୍ତିବିଶେଷ । ସମୟ ବଦଳିଗଲା । ଦୁର୍ନୀତି ଓ ପ୍ରିୟାପ୍ରୀତି ସମସ୍ତଙ୍କର ପ୍ରିୟ ହେଲା ଯେଉଁଥିରୁ ଗଣମାଧ୍ୟମର ମାଲିକ ଓ ପ୍ରତିନିଧିମାନେ ବାଦ୍ ପଡିପାରିଲେ ନାହିଁ । ଅତଏବ ‘ଗଣସ୍ୱାର୍ଥରେ ଗଣମାଧ୍ୟମ’ ‘ମାଲିକମାନଙ୍କ ସ୍ୱାର୍ଥରେ ଜଣମାଧ୍ୟମ’କୁୁ ଓ ସାମ୍ବାଦିକତାମାନେ ନିଜ ପେଟ ଚାଖଣ୍ଡକ ପାଇଁ ‘ମାଲିକଙ୍କ ଦଉଡି ଯୁଆଡେ ଟାଣଇ-ସାମ୍ବାଦିକ ଭାଇ ସିଆଡେ ଭିଡଇ’ ଅବସ୍ଥାକୁ । ଏ ବାବଦରେ ସଦ୍ୟତମ ଗୁଲିଖଟି ଗପଟି ହେଉଛି, ନେପୋଲିୟନ ପୁନଃ ଜନ୍ମ ନେଇ ଭାରତ ବର୍ଷକୁ ଆସି ମୋଦିଜୀଙ୍କୁ କହୁଛନ୍ତି ‘ମୋ ପାଖରେ ଏଠାରେ ଗଣମାଧ୍ୟମ ଭଳି ସଂସ୍ଥା ଥିଲେ ମୁଁ କେବେହେଲେ ୱାଟରଲୁ ଯୁଦ୍ଧ ହାରିନଥାନ୍ତି’ । ମଣିଷ, ପଶୁ ଓ ବୃକ୍ଷଲତା ଆଦି ସବୁ ଜୀବନ୍ତସତ୍ତାମାନେ, ସେମାନଙ୍କ ସୃଷ୍ଟି ହେବା ଦିନ ଠାରୁ ସମ୍ବାଦ ସରବରାହ କରି ଆସୁଛନ୍ତି । ସେ କାଳରୁ ଆଜିଯାଏଁ ମହୁମାଛିଟିଏ, କୈାଣସି ଫୁଲରେ ମହୁର ସନ୍ଧାନ ପାଇଲେ ତାହାର ସାଙ୍ଗସାଥୀମାନଙ୍କ ପାଖକୁ ଆସି ସେଠି ମହୁ ଅଛି ବୋଲି ଜଣାଇବାକୁ ସେମାନଙ୍କ ଆଗରେ ଇଂରାଜୀ ଭାଷାର ୫ ଅକ୍ଷର ଆକୃତିରେ ନାଚିଥାଏ ଯାହାକୁ ଘୁଷୁରୀ ଲାଙ୍ଗୁଡର ଆକାର ଅନୁଯାୟୀ ‘ପିଗଟାଲ୍’ ନୃତ୍ୟ ବୋଲି କୁହାଯାଏ । ମନୁଷ୍ୟଜାତି କିନ୍ତୁ ସେତେବେଳର ‘ଠାର’ ଜରିଆରେ ସମ୍ବାଦ ବିତରଣ ଠାରୁ ବିଭିନ୍ନ ସୋପାନ ଦେଇ ଆଜି ସର୍ବାଧୁନିକ ବୈଷୟିକ ଜ୍ଞାନ ଉପରେ ଆଧାରିତ ସମ୍ବାଦ ସରବରାହ କରୁଅଛି । ଏ କ୍ଷେତ୍ରରେ ଯଥାଯଥ ପ୍ରକ୍ରିୟା ଆରମ୍ଭ ହୋଇଥିଲା ୧୯୨୦ ମସିହାରେ ଓ ପ୍ରକୃତ ବିପ୍ଲବ ଘଟିଥିଲା ୧୯୫୦ ମସିହାରେ । ୧୯୪୯ ମସିହାରେ କାର୍ଲ.ଆଇ.ହୋବଲ୍ୟାଣ୍ଡ, ଆର୍ଥର.ଏ.ଲମସଚେନ୍ ଓ ଫ୍ରେଡ୍.ଡି.ସେଫିଲ୍ଡ, ଗଣମାଧ୍ୟମ ଉପରେ ପ୍ରଥମ ବହି ଲେଖିଥିଲେ ଯାହାର ଶୀର୍ଷକ ଥିଲା Experiment of the Mass Communication । ଗଣମାଧ୍ୟମର ଉତ୍ପତିର ପ୍ରକୃତ ଉଦ୍ଦେଶ୍ୟ ଥିଲା ଶାସକ, ପ୍ରଶାସକ ଓ ନ୍ୟାୟଧୀଶମାନଙ୍କ ଦୋଷ ଓ ତ୍ରୁଟିକୁ ଧରି, ସେଗୁଡିକୁ ଜନସାଧାରଣଙ୍କ ସମ୍ମୁଖକୁ ଆଣିବା ଜରିଆରେ ଉପରୋକ୍ତ ବର୍ଗଙ୍କୁ ସଜାଗ କରିବା । କିନ୍ତୁ ଦୁଃଖର ବିଷୟ, ଗଣମାଧ୍ୟମକୁ ଏବେ ‘ଗୋଦି ବା କୋଳମାଧ୍ୟମ’ କୁହାଗଲାଣି ଯେହେତୁ ରାଜନେତାମାନଙ୍କ ନିର୍ଦ୍ଦେଶମତେ ଗଣମାଧ୍ୟମର କର୍ପୋରେଟ ମାଲିକମାନେ ପରିଚାଳିତ ହେଉଛନ୍ତି ଓ ସାମ୍ବାଦିକମାନଙ୍କର କୈାଣସି ସ୍ୱାଧିନତା ନାହିଁ । ବଜାରୀକରଣ, ବଜାର ତା କଥା ବୁଝିବ ଇତ୍ୟାଦି ଚାଲୁ ହେବାଯାଏ, ସମ୍ବାଦପତ୍ରଗୁଡିକ ଏତେ ଶକ୍ତିଶାଳୀ ମାଧ୍ୟମ ଥିଲେ ଯେ, ସେଥିରେ ପ୍ରକାଶିତ ଆପତ୍ତି ଅଭିଯୋଗଗୁଡିକୁ ସରକାରମାନେ ଯଥେଷ୍ଟ ଗୁରୁତ୍ୱର ସହିତ ବିଚାର କରି ସେଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲେ । କିନ୍ତୁ ଏହି ପରି ଖୋଲା ନୀତିର ପ୍ରଚଳନ ପରେ, ଗଣମାଧ୍ୟମର ଗୁରୁତ୍ୱ ଏକଦମ୍ କମିଗଲା, କାରଣ ଏହାର ମାଲିକମାନେ ସେହି ଖୋଲା ବଜାର ନୀତିରେ ହୋଇଗଲେ ବିକ୍ରି ଯୋଗ୍ୟ ପଣ୍ୟ । ଇରାକ ଯୁଦ୍ଧ ବେଳେ ଆମେ Embeded News ନାମକ ନୁଆ କଥାଟିଏ ଶୁଣିଲୁ, ଯାହା ଥିଲା ଇରାକରେ ନିୟୋଜିତ ଆମେରିକା ସୈନ୍ୟବାହିନୀ ବନ୍ଧୁକ ମୂନରେ ଯାହା କହିଲେ, ସାମ୍ବାଦିକମାନେ ସେଇଆ ଲେଖିବାକୁ ବାଧ୍ୟ ହେଲେ । ଏବେ ତ ଆମ ଦେଶର ଗଣମାଧ୍ୟମସମୂହ ପ୍ରତ୍ୟେକ ଦିନ ସକାଳୁ ଅପେକ୍ଷା କରି ବସୁଛନ୍ତି ‘କେତେବେଳେ କେନ୍ଦ୍ର ଓ ରାଜ୍ୟ ଶାସନରେ ଥିବା ଦଳୀୟ ନେତାଙ୍କ ପାଖରୁ, ସେଦିନ କି ପ୍ରକାର ସମ୍ବାଦ ପରିବେଷଣ ହେବ, ସେହି ନିର୍ଦ୍ଦେଶ ପାଇବାକୁ ସେମାନଙ୍କ ପାଖକୁ ଯିବାକୁ ଡାକରା ଆସିବ’ ସେଇଥିପାଇଁ । ସମୟ ଥିଲା, ନେହେରୁ ସରକାରଙ୍କ ବିରୋଧରେ କିଛି ଲେଖା ନ ହେଲେ ବା ଆର.କେ. ଲକ୍ଷ୍ମଣ ତାଙ୍କର ବ୍ୟଙ୍ଗଚିତ୍ର ପ୍ରକାଶ ନକଲେ, ନେହେରୁ ସେମାନଙ୍କୁ ଭେଟି କହୁଥିଲେ, ‘ମୁଁ କିଛି ଭୁଲ୍ କରିନାହିଁ କି’ ଆପଣମାନଙ୍କ କଲମ ଆଉ ତୁଳି ମୋ ବିରୁଦ୍ଧରେ ଚାଲୁ ନାହିଁ କାହିଁକି ? କିନ୍ତୁ ଏବେ ତ ଗଣମାଧ୍ୟମବାଲାଏ ନେତା ମାନଙ୍କୁ ବୁଝାଇ ଦେଉଛନ୍ତି ‘ଆମର ବେଳେବେଳେ ଆପଣଙ୍କ ବିରୁଦ୍ଧରେ ଲେଖାକୁ ମୋଟେ ଖାତିର କରନ୍ତୁ ନାହିଁ, ଖାଲି ଦେଖେଇ ହେବାକୁ ଲେଖି ଦେଉଛୁ ଯାହା’ । ବିଭିନ୍ନ ସମ୍ବାଦପତ୍ର ଗୁଡିକ ବିଭିନ୍ନ ସ୍ଥାନରୁ ସେମାନଙ୍କ ସଂସ୍କରଣ ପ୍ରକାଶ କଲା ପରେ, ଭୁବନେଶ୍ୱର ଖବର କଟକବାଲା ଜାଣୁନାହାଁନ୍ତି । ଅନ୍ୟାନ୍ୟ ଦୂର ସ୍ଥାନ ବାବଦରେ କ’ଣ ବା କହିବା । ଏହା ଆମ ସମାଜକୁ ଯୋଡୁଛି କି ଛିଡାଉଛି, ତାହା ବିଚାର ଯୋଗ୍ୟ । ଯେଉଁ ସାମ୍ବାଦିକଟି ଅର୍ଥ ଓ ଧମକକୁ ନଡରି ଅନ୍ୟାୟ, ଶୋଷଣ ଓ ଦୁର୍ନୀତି ବିରୋଧରେ ଲେଖୁଛନ୍ତି, ତାକୁ ଗାଡି ଚଢେଇ ବା ଗୁଳିକରି ମାରିଦିଆଯାଉଛି । ସମ୍ବାଦପତ୍ରରେ ପ୍ରକାଶିତ ବା ଟିଭି ଚ୍ୟାନେଲରେ କୁହାଯାଉଥିବା ଅନ୍ୟାୟ, ଅତ୍ୟାଚାର ଉପରେ ସରକାରମାନେ ତ କିଛି କରୁନାହାଁନ୍ତି, ସେଗୁଡିକୁ ଲେଖିକରି ଦେଲେ ମଧ୍ୟ, ତା ଉପରେ କାର୍ଯ୍ୟାନୁଷ୍ଠାନ ନାହିଁ । ଆମର ଏଠିକାର ଖବରକାଗଜରେ ତଥା ଟିଭି ପରଦାରେ ବିଜେଡିନେତାଏ ଗର୍ଜିଲେ ‘ଓଡିଶା ବିଧାନ ସଭାରେ ପ୍ରଥମେ ଲୋକାୟୁକ୍ତ ବିଲ୍ ପାରିତ ହୋଇଥିଲା’ ଯଦିଓ ଡଃ ମନମୋହନ ସିଂହଙ୍କ ୟୁପିଏ-୨ ସରକାରଙ୍କ ଦ୍ୱାରା ତା୧୮.୧୨.୨୦୧୩ରିଖରେ ଲୋକପାଳ ବିଲ ସଂସଦରେ ପାରିତ ହେବା ପରେ, ତା ୨୧.୦୧.୨୦୧୪ରିଖରେ ସେତେବେଳର ଉତ୍ତରାଖଣ୍ଡ ରାଜ୍ୟରେ କଂଗ୍ରେସ ସରକାର ଲୋକାୟୁକ୍ତ ବିଲ୍ ପାରିତ କରିଥିଲେ, ଯାହା ପରେ ତା୧୪.୦୨୨୦୧୪ରିଖରେ ଦ୍ୱିତୀୟ ରାଜ୍ୟ ରୂପେ ଓଡିଶା ସରକାର ଏହାକୁ ପାରିତ କରିଥିଲେ । ଓଡିଶା ସରକାର ମିଛରେ ‘ଭାରତରେ ଆମେ ପ୍ରଥମ’ ବୋଲି ଘୋଷଣା କରିଥିବାରୁ, ସେତେବେଳର କଂଗ୍ରେସ ବିଧାୟକ ଶ୍ରୀ ପ୍ରସାଦ ହରିଚନ୍ଦନ ବିଧାନସଭାରେ ‘ସ୍ୱାଧିକାର ଭଙ୍ଗ’ ଅଭିଯୋଗ ଆଣିଥିବାର ମନେପଡୁଛି । ଏବେ ଏବେ ଖବରକାଗଜ ଓ ଟିଭିରେ ବିଜେଡି ନେତାଏ ସେହି କଥାକୁ ଦୋହରାଇଥିଲେ ଯାହାକୁ ସେଠାର କର୍ତ୍ତୁପକ୍ଷ ବିରୋଧ କରିନଥିଲେ । ଏଠି ଗଣମାଧ୍ୟମରେ ‘ରତ୍ନଭଣ୍ଡାର ଖୋଲା ଯେତିକି ମାତ୍ରାରେ ଆଲୋଚିତ ହୁଏ, ୬ଲକ୍ଷ କୋଟି ଟଙ୍କାର ଖଣି ଚୋରି ୮ହଜାର କୋଟି ଟଙ୍କାରେ ପହଞ୍ଚିଲେ ବି, ସେତିକି ଆଲୋଚନା ହୁଏ ନାହିଁ’ । ଏଇଠି ପ୍ରାୟ ୧୦/୧୧ ବର୍ଷ ତଳେ ପଢିଥିବା ଗୋଟେ ସର୍ବେକ୍ଷଣର ଫଳାଫଳ କଥା ମନେ ପଡୁଛି । ସେଥିରେ ଦର୍ଶାଯାଇଥିଲା ଯେ, ଆମ ଦେଶରେ ଯେତେ ଟିଭି ଚ୍ୟାନେଲ ଚାଲୁଛି, ସେଥରରୁ ଅତି ଅଳ୍ପ କେତୋଟିକୁ ଛାଡିଦେଲେ, ଆଉ ସବୁ କ୍ଷତିରେ ଚାଲୁଛନ୍ତି । ‘କ୍ଷତିରେ କାହିଁକି ବ୍ୟବସାୟ କରାଯାଉଛି’ର ଉତ୍ତରରେ ସେଥିରେ ଲେଖାଯାଇଥିଲା ‘କେତେବେଳେ ସିନା ସାମ୍ବାଦିକମାନେ’ ମନ୍ତ୍ରୀଙ୍କ ଠାରୁ ସାକ୍ଷାତକାରଟିଏ ନେବା ପାଇଁ ଘଣ୍ଡା ଘଣ୍ଡା ଅପେକ୍ଷା କରି ବସୁଥିଲେ, ଏବେ ମନ୍ତ୍ରୀ ଘଣ୍ଟା ଘଣ୍ଟା ଉତ୍କଠାର ସହିତ ଅପେକ୍ଷା କରୁଛନ୍ତି କ୍ୟାମେରା ଓ ବୁମ୍ କେତେବେଳେ ଆସିବ ବୋଲି । ମନ୍ତ୍ରୀଙ୍କ ସହିତ ଭାବଦୋସ୍ତି କ୍ଷତି ଭରଣା କରି ଯଥେଷ୍ଟ ଲାଭ ଦିଆଯାଇଥାଏ କି ? ସମୁଦାୟ ଗଣମାଧ୍ୟମ ଭିତରୁ ବୈଦ୍ୟୁତିକ ଗଣମାଧ୍ୟମଗୁଡିକ ସରକାରୀ ଦଳର ହାତବାରିସ ସାଜି, ଦେଶର ଶାନ୍ତି, ଭାଇଚାରା ତଥା ସାମ୍ୟ ପ୍ରତିଷ୍ଠା ପାଇଁ କାମ ନ କରି, ଜାତି. ଭାଷା, ଧର୍ମ ଇତ୍ୟାଦି ଭିତରେ ବିଭେଦ ସୃଷ୍ଟି କରି ମାଲିକ ଓ ସେମାନଙ୍କର ପୃଷ୍ଠପୋଷକ ଶାସକଙ୍କୁ ଖୁସି କରିବାରେ ବ୍ୟସ୍ଥ । ସେହି ସବୁ ଟିଭି ଆଲୋଚନାରେ ଗୋରୁହାଟରୁ ଆହୁରି କଦର୍ଯ୍ୟ ଦୃଶ୍ୟ ପରିଲକ୍ଷିତ ହୋଇଥାଏ । ଆମ ଦେଶରେ ପ୍ରଚଳିତ ଅଛି Drugs and Magic Remidies (Objectionable Advertisements) Act 21 of 1995, ଯାମ୍ମୁ ଓ କାଶ୍ମୀରକୁ ଛାଡି ସମଗ୍ର ଭାରତବର୍ଷରେ ବଳବତ୍ତର । ଏଥିରେ ଗୁଣିଗାରେଡି ଓ ଅଣବୈଜ୍ଞାନିକ ତତ୍ତ୍ୱଗୁଡିକର ବିଜ୍ଞାପନ କରାଯାଇ ପାରିବ ନାହିଁ ବୋଲି ନିର୍ଦ୍ଦେଶନାମା ରହିଛି, ଅଥଚ ଏଇ ନିକଟରେ ଜଣେ ବାବା ଆସିଥିଲେ, ଯିଏ ମନ୍ତ୍ର ଜରିଆରେ ୧୫ମିନିଟରେ ସବୁ ରୋଗ, ଅଭାବ, ଦାରିଦ୍ର‌୍ୟ ହଟାଇଦେବେ ବୋଲି ପ୍ରମୁଖ ସମ୍ବାଦପତ୍ରରେ ପ୍ରଥମ ଓ ଦ୍ୱିତୀୟ ପୃଷ୍ଠାରେ ରଙ୍ଗୀନ ବିଜ୍ଞାପନ ଦେଇଥିଲେ । ସେହିପରି,Prize Chits and Money Circulation Scheme (Banking Act)-1978 ଚିଟଫଣ୍ଡ ବାବଦରେ ବିଜ୍ଞାପନକୁ ନିଷିଦ୍ଧ କରାଯାଇଅଛି, ଅଥଚ ଆମର ଗଣମାଧ୍ୟମରେ ଏହାକୁ ସଚରାଚର ଉଲଂଘନ କରାଯାଉଛି । ଅର୍ଥାତ୍ ‘ପେଟ ପୋଷ-ନାହିଁ ଦୋଷ’ କଥାଟିର ଯଥାଯଥ ଅନୁକରଣ । ଇଲେକ୍ଟୋରାଲ ବଣ୍ଡ, ବିଦେଶୀ କମ୍ପାନୀ ଠାରୁ ଚାନ୍ଦା ଗ୍ରହଣ ନିୟମର ଅନ୍ତର୍ଭୁକ୍ତ କରେଇ ଦେବା ପରେ କେନ୍ଦ୍ରରେ ଶାସନ କରୁଥିବା ଦଳକୁ ଅମାପ ଚାନ୍ଦା ଉପ ଯୋଗ କରି ସମସ୍ତଙ୍କୁ କିଣିହେବ । ସେହି ଲୋଭରେ ‘ଭାଇ ଲେଖିଦେବି, ନାଇମ ଭାଇ, ଆପଣଙ୍କ ସେଇ କାମଟି ବାବଦରେ ହାତ ଯାଉନାହିଁ’ ଯେଉଁଠି ଚିରାଚରିତ ଧାରାଟିଏ, ସେଠି ‘ବଞ୍ଚିବାର କିଛି ନାହିଁ ରାହା, ଯେହେତୁ ଗଣମାଧ୍ୟମ ହୋଇଯାଇଛି ସ୍ୱାହା’ ଭଳି ମତବ୍ୟକ୍ତ ଦଣ୍ଡନୀୟ ନୁହେଁ । ଏହି ଭଳି ଏକ କିମ୍ଭତକିମ୍ଭାକାର ପରିସ୍ଥିତିରେ, ମତବ୍ୟକ୍ତ ପାଇଁ ଆମ ଭଳି ସାଧାରଣ ଲୋକଙ୍କ ପାଖରେ ସାମାଜିକ ଗଣମାଧ୍ୟମ ବାSocial Media କିଛି ସମ୍ଭାବନା ରହୁଥିବା ବେଳେ, ସେଠି ବି ଆମ୍ଭମାନଙ୍କ ଭଳି ମୁକ୍ତଚିନ୍ତକମାନଙ୍କ ଉପରେ ପ୍ରଚଣ୍ଡ ଆକ୍ରମଣ ହେଉଛି । ଆକ୍ରମଣରେ ବାପା, ମା ଓ ପରିବାରବର୍ଗଙ୍କୁ ବି ଛଡା ଯାଉନି । ପ୍ରଖ୍ୟାତ ସାମ୍ବାଦିକ ଓ ସ୍ତମ୍ଭକାର ମିଃ ଟି.ଜେ.ଏସ୍.ଜର୍ଜ, ୨୦୧୫ ମସିହା ମଇ ମାସ ୧୫ ତାରିଖରେ ତାଙ୍କର ଗୋଟିଏ ଲେଖାରେ ଲେଖିଥିଲେ ‘ଗଣମାଧ୍ୟମ ତରଫରୁ ଅଭୂତପୂର୍ବ ସମର୍ଥନ ହାସଲ କରିଥିବା ପ୍ରଧାନମନ୍ତ୍ରୀ ମୋଦି ଯେତେବେଳେ କୁହନ୍ତି ଯେ, ଗଣମାଧ୍ୟମ ମୋ ବିରୁଦ୍ଧରେ ପ୍ରଚାର କରିବା ଦାୟିତ୍ୱ ନେଇଛି’ ସେତେବେଳେ ହସ ଲାଗେ ଓ ଲଜ୍ୟା ବି ଅନୁଭୁତ ହୁଏ । ସେ ଆହୁରି ଲେଖିଥିଲେ ‘ସାମାଜିକ ଗଣମାଧ୍ୟମରେ ମୋଦିଙ୍କ ସୈନ୍ୟସାମନ୍ତ’ Cyber Army ସବୁବେଳେ ସଜାଗ ହୋଇ ରହିଛନ୍ତି ଓ ତାଙ୍କ ବାବଦରେ ଯେକୈାଣସି ସମାଲୋଚନାକୁ ଅତି ଅଭଦ୍ର ଓ ଅଶ୍ଳିଳ ଭାଷାରେ ଦବେଇ ଦେଉଛନ୍ତି । ‘ଯୁଗକଳଙ୍କକୁ ଯୁଗପୁରୁଷ’ ରୂପେ ପ୍ରଦର୍ଶନ, ପିଲାଟିଏ ଜନ୍ମ ନହେଲେ ଟିଭି ବିଜ୍ଞାପନରେ ମହିଳାଙ୍କୁ ଦୋଷୀ ରୂପେ ଚିତ୍ରଣ ଓ ସମ୍ବିଧାନକୁ ଅଣଦେଖା କରି ଗୁଣିଗାରେଡି, କୁସଂସ୍କାରର ପ୍ରଚାର ଘନଘନ ଯେତେବେଳେ ରାଜଗାର ପାଇଁ ଗଣମାଧ୍ୟମର ଧ୍ୟେୟ ହୋଇଛି, ସେତେବେଳେ ଆଉ କଣ ବା ଆଶା କରିବା । ସାମାଜିକ, ମୁଦ୍ରିତ ତଥା ବୈଦ୍ୟୁତିକ ଗଣମାଧ୍ୟମରେ ମିଛ ଓ କପୋଳକଳ୍ପିତ ତଥା ଅର୍ଥଦିଆ ସମ୍ବାଦ ପରିବେଷଣ ସବୁ ସୀମାକୁ ଟପିଗଲାଣି । ଶାସକ, ପ୍ରଶାସକ, ଧର୍ମାବତାର, ଗଣମାଧ୍ୟମ ପ୍ରତିନିଧି, ସମାଜସେବୀ, ବୁଦ୍ଧିବାଦୀ, ଲେଖକ, କବି, କଳାକାର, ବେସରକାରୀ ସାମାଜିକ ସଂଗଠନର କର୍ମକର୍ତ୍ତାଗଣ, ସଂଗ୍ରାମୀ ଇତ୍ୟାଦିଙ୍କ ଚରିତ୍ରକୁ ଗଭୀର ଭାବେ ଅନୁଧ୍ୟାନ କରିବା ପରେ ଚିତ୍ତଭାଇ ଲେଖିଥିଲେ ‘ଯିଏ ତ ଯାହାପାଇଁ ଲାଗିଲେ, ଗଣଙ୍କ ପାଇଁ ଲାଗିବ କିଏ’ । ଅତଏବ, ଗଣଙ୍କ ପାଇଁ ଆଉ ସେ ବଞ୍ଚିବାର ରାହା ଅଛି ତାହା ବିଶ୍ୱାସଯୋଗ୍ୟ ନୁହେଁ । ‘ଗଣେ ବି ତହିଁକି ବଳି ଓ ଭୋଟ ପୂର୍ବ ଦିନ ରାତିରେ ଚାହିଁଥାଏ ନେତାଏ କେତେବେଳେ ଆସିବେ ଗଳି ଗଳି’କୁ । ସମ୍ବିଧାନ ସଂଶୋଧନ ଜରିଆରେ ଗ୍ରାମ ପଞ୍ଚାୟତଗୁଡିକୁ ଦିଆଯାଇଥିବା ୨୯ଟି ଅଧିକାର ଓ ସହରାଞ୍ଚଳ ସ୍ୱାୟତ ଶାସନ ସଂସ୍ଥାଗୁଡିକୁ ଦିଆଯାଇଥିବା ୧୯ଟି ଅଧିକାର ବାବଦରେ, ଏଗୁଡିକ ଚଳାଉଥିବା ଲୋକ ପ୍ରତିନିଧିମାନେ କେତେଦୂର ଅଭିହିତ ଓ ସଜାଗ, ତାହା ହିଁ ପ୍ରଶ୍ନବାଚୀ । ମହିୟସୀ ମାଳତୀ ଚୈାଧୁରୀ, ପ୍ରଧାନମନ୍ତ୍ରୀ ଥିବା ରାଜୀବ ଗାନ୍ଧୀଙ୍କ ହାତରୁ ‘ଯମୁନା ଲାଲ ବଜାଜ ପୁରଷ୍କାର’ ଗ୍ରହଣ କରିବାକୁ ମନା କରିଦେଇଥିଲେ, ତାଙ୍କ ଠେଇଁ ବୋଫର୍ସ ଦୁର୍ନୀତିର ଛିଟା ଲାଗିଥିବା ଆରୋପରେ । ଅଥଚ, ଆଜି ସବୁଠାରୁ ଦୁର୍ନୀତିଗ୍ରସ୍ତମାନଙ୍କ ହାତରୁ ପୁରଷ୍କାର ଗ୍ରହଣ କରିବା ପାଇଁ, ବଞ୍ଚିଥିବା କେତେଜଣ ସଂଗ୍ରାମୀ ଯେଉଁଠି କୁନୁ କୁନୁ, ସେଠି ଅନ୍ୟମାନଙ୍କ ବାବଦରେ କାହିଁକି ବା ଆଲୋଚନା କରିବା ? ସମ୍ବିଧାନର ପ୍ରଥମ ଓ ଦ୍ୱିତୀୟ ସ୍ଥାନର ପ୍ରମୁଖମାନେ, ନିଜ କ୍ଷମତାଧାରଣ କାଳରେ ଯାହା ତ କଲେ ଛାଡନ୍ତୁ, ଅବସରଗ୍ରହଣ ପରେ ସେଇମାନେ ହିଁ ଗଣ ମାଧ୍ୟମର ପ୍ରିୟପାତ୍ର ଓ ମୁଦ୍ରିତ ତଥା ଟିଭି ପରଦାରେ ଛାଇ ହୋଇଯାଉଛନ୍ତି । ଗଣମାଧ୍ୟମ ଲୋକ ମାନଙ୍କୁ ସଶକ୍ତ ନକରି ‘ସବୁଦିନେ ଠକି ହୋଇ ରୁହ ମାନସିକତା’ ବଢେଇବାରେ ନିୟୋଜିତ । ଏ ବାବଦରେ ଲେଖିବସିଲେ କାଗଜ, କଲମ ବା ସମୟ ନିଅଣ୍ଟ ପଡିବ । (ଏନ୍.ନାରାୟଣ ରେଡ୍ଡି, ପୂର୍ବତନ ବିଧାୟକ)