ଗାନ୍ଧୀ ଜୟନ୍ତୀ ଅବସରରେ ରାଜ୍ୟ ସରକାରଙ୍କ ଦିନିକିଆ ନିଶାମୁକ୍ତି ଅଭିଯାନ ରାଜ୍ୟବାସୀଙ୍କୁ ଉପହାସ-କଂଗ୍ରେସ

EXCLUSIVE
  • 2018-10-02 15:35:34
  • 271

• ରାଜ୍ୟ ଅବକାରୀ ମନ୍ତ୍ରୀଙ୍କ ଦୁର୍ଭାଗ୍ୟଜନକ ସ୍ୱୀକାରୋକ୍ତି – ଓଡିଶାର ଗ୍ରାମାଂଚଳରେ ୪୧.୩ ପ୍ରତିଶତ ଲୋକ ମଦ୍ୟପାନ କରୁଛନ୍ତି । ସହରାଂଚଳକୁ ମିଶାଇଲେ ପ୍ରାୟ ୪୦ ପ୍ରତିଶତ ଲୋକ ମଦ୍ୟପାନ କରନ୍ତି । • ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ – ୪ ଅନୁଯାୟୀ ଓଡିଶାରେ ମଦ୍ୟପାନ କରୁଥିବା ଲୋକଙ୍କ ସଂଖ୍ୟା ଜାତୀୟ ହାର ଠାରୁ ଅଧିକ । • ୨୦୦୦ ମସିହାରୁ ୨୦୧୮ ମସିହା ମଧ୍ୟରେ ଓଡିଶାରେ ମଦ ଟିକସ ବା ଅବକାରୀ ରାଜସ୍ୱ ୨୮୦୦ ଗୁଣା ବଢିଛି । ୨୦୦୧ ରେ ଅବକାରୀ ରାଜସ୍ୱ ୧୩୫ କୋଟି ଥିବା ବେଳେ ୨୦୧୮ ରେ ଏହା ବୃଦ୍ଧିପାଇ ୩୮୦୦ କୋଟିରେ ପହଂଚିଛି । • ରାଜ୍ୟରେ ମୁଣ୍ଡପିଛା ମଦ୍ୟପାନର ପରିମାଣ ବିଗତ ୧୮ ବର୍ଷ ମଧ୍ୟରେ ଆଶାତୀତ ଭାବେ ବୃଦ୍ଧି ପାଇଛି । ଯାହାକି ଜାତୀୟ ହାରଠାରୁ ମଧ୍ୟ ଅଧିକ । • ୨୦୦୧ ରେ ମୁଣ୍ଡପିଛା ମଦ୍ୟପାନର ପରିମାଣ ୭୦୦ ମି.ଲି. ଥିବା ବେଳେ ୨୦୧୭ ରେ ଏହା ବୃଦ୍ଧି ପାଇ ୫ ଲିଟରରେ ପହଂଚିଛି । କାନଭାସ୍ ଓଡିଶା(ବ୍ୟୁରୋ) : ଗାନ୍ଧୀ ଜୟନ୍ତୀ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ନିଶାମୁକ୍ତି ଅଭିଯାନ ଆୟୋଜନ କରାଯାଉଛି । ଏହି ଅବସରରେ ବିଜୁ ଯୁବ ବାହିନୀ ପକ୍ଷରୁ ଆୟୋଜିତ ରାଜ୍ୟର ବିଭିନ୍ନ ଗ୍ରାମ ପଂଚାୟତ, ମ୍ୟୁନିସିପାଲିଟି ଓ ଏନ୍ଏସି ଅଂଚଳରେ ନିଶାମୁକ୍ତି ଅଭିଯାନର ବ୍ୟାପକ ପ୍ରସାରଣ ପାଇଁ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକଙ୍କୁ ଚିଠି ଲେଖି କୁହାଯାଇଛି । ଏହି ଘଟଣା ସରକାରଙ୍କ ଛଳନା ଓ ଦୋମୁହାଁ ନୀତିକୁ ଦର୍ଶାଉଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ଅସଲରେ ସରକାର ମଦ ବିକ୍ରୀର ପ୍ରଚାର ପ୍ରସାର ପାଇଁ ମିଶନ ମୋଡ୍ରେ କାମ କରୁଛନ୍ତି । ସେପଟେ ଲୋକ ଦେଖାଣିଆ ଦୁଇ ଘଂଟିଆ ନିଶାମୁକ୍ତି ରାଲି ଆୟୋଜନ କରୁଛନ୍ତି । ସରକାରଙ୍କ ଏହି ନିଶାମୁକ୍ତି ଅଭିଯାନ ‘ଯାଦୁଆ ବିକୁଛି ଯାଦୁର ମଲମ, ମଦୁଆ ଧରିଛି ନିଶା ନିବାରଣ ବାନା’ ସଦୃଶ । ରାଜ୍ୟର ବିଜେଡି ସରକାର ଓଡିଶାରେ ମଦର ପ୍ରସାର କରି ରାଜସ୍ୱ ସଂଗ୍ରହ ନିମନ୍ତେ ନିଜର ଦ୍ୱାର ଉନ୍ମୁକ୍ତ କରିଛନ୍ତି । ୨୦୦୦-୦୧ରେ ବିଜୁ ଜନତା ଦଳ କ୍ଷମତାକୁ ଆସିବା ସମୟରେ ରାଜ୍ୟର ଅବକାରୀ ରାଜସ୍ୱ ସଂଗ୍ରହ ପରିମାଣ ଯେତିକି ଥିଲା ଏବେ ତାହା ୨୦ ଗୁଣ ବୃଦ୍ଧି ପାଇଛି । ୨୦୦୦-୦୧ ରେ ରାଜ୍ୟର ଅବକାରୀ ରାଜସ୍ୱ ୧୩୫.୧୩ କୋଟି ଟଙ୍କା ଥିଲା । ୨୦୧୬-୧୭ ରେ ତାହା ୨୭୮୬.୨୩ କୋଟି ଟଙ୍କାରେ ପହଂଚିଛି ।୨୦୧୭-୧୮ ରେ ରାଜ୍ୟ ସରକାର ୩୬୦୦ କୋଟି ଟଙ୍କା ଅବକାରୀ ରାଜସ୍ୱ ସଂଗ୍ରହ ଲକ୍ଷ୍ୟ ରଖିଥିବା ବେଳେ ସରକାରଙ୍କୁ ମିଳିଥିଲା ୩୨୧୧.୦୩ କୋଟି ଟଙ୍କା । ୨୦୧୦ ପରବର୍ତୀ ସମୟରେ ଅବକାରୀ ରାଜସ୍ୱରେ ଅପ୍ରତ୍ୟାଶିତ ବୃଦ୍ଧି ପରିଲକ୍ଷିତ ହୋଇଛି । ଅନ୍ୟପକ୍ଷରେ ଏହାକୁ ନେଇ ସାମାଜିକ ବିଶୃଙ୍ଖଳା, ଅପରାଧ, ନାରୀ ନିର୍ଯ୍ୟାତନା, ଯୌନ ଉତ୍ପୀଡନ ଭଳି ଘଟଣା ମଧ୍ୟ ବହୁଗୁଣ ବୃଦ୍ଧି ଘଟିଛି । ସେଥିପାଇଁ ରାଜ୍ୟର ଅନେକ ସ୍ଥାନରେ ମହିଳାମାନେ ସମବେତ ହୋଇ ମଦ ବିକ୍ରୀକୁ ବିରୋଧ କରିବା ସହିତ ମଦ ଦୋକାନକୁ ଭାଙ୍ଗିବା, ନିଆଁ ଲଗାଇବା ଭଳି କାର୍ଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି । ବିଜେଡି ସରକାର ମଦର ପ୍ରସାର କରି ପରିବାର ଉଜାଡି ଦେଉଥିବା ବେଳେ ବେକାର ଯୁବଗୋଷ୍ଠୀଙ୍କୁ ଭୂଆଁ ବୁଲାଇବା ପାଇଁ ଗଠନ କରାଯାଇଥିବା ବିଜୁ ଯୁବ ବାହିନୀ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଅବସରରେ ନିଶାମୁକ୍ତି ଅଭିଯାନ ଆରମ୍ଭ କରିବାକୁ ସ୍ଥିର କରାଯାଇଛି । ସରକାର ମଦ ବିକୁଥିବା ବେଳେ ସରକାରଙ୍କ ଏକ ଶାଖା ତାକୁ ବିରୋଧ କରିବ । ଏହା କିଭଳି ସମ୍ଭବ ବୋଲି ଓଡିଶା ପ୍ରଦେଶ କଂଗ୍ରେସ କମିଟି ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି, ବିଜୁ ଜନତା ଦଳ ଗତ ୧୮ ବର୍ଷ ମଧ୍ୟରେ ରାଜ୍ୟରେ ନିଶାର ବ୍ୟାପକ ପ୍ରସାର କରିଛି । ମଦ ପିଇ ରାଜ୍ୟରେ ଅନେକ ସ୍ଥାନରେ ଲୋକଙ୍କର ମୃତ୍ୟୁ ଘଟିଛି । ସେଥିପାଇଁ ରାଜ୍ୟ ସରକାର ଏକାଧିକ କମିଶନ ବସାଇଛନ୍ତି, କିନ୍ତୁ ଫଳ ଶୂନ । କଟକ ଜିଲ୍ଲା ମହୀଧରପୁର ଏବଂ ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକରେ ୨୦୧୨ ମସିହାରେ ମଦ ପିଇ ଅନ୍ୟୁନ ୩୩ ଜଣଙ୍କର ମୃତ୍ୟୁ ଘଟିଥିଲା । ସେମାନଙ୍କ ମଧ୍ୟରେ ଜଣେ ମହିଳା ଅନ୍ତର୍ଭୁକ୍ତ ଥିଲେ । ସେଥିପାଇଁ ରାଜ୍ୟର ତକ୍ରାଳୀନ ଅବକାରୀ ମନ୍ତ୍ରୀ ଇସ୍ତଫା ଦେଇଥିଲେ । ଏହା ପୂର୍ବରୁ ଗଞ୍ଜାମ ଜିଲ୍ଲାରେ ମଦ ପିଇ ୨୨ ଜଣଙ୍କର ମୃତ୍ୟୁ ଘଟିଥିଲା । ସରକାର ସେଥିପାଇଁ ତଦନ୍ତ କମିଶନ ବସାଇଲେ । କିନ୍ତୁ କାହା ବିରୋଧରେ ଦଣ୍ଡବିଧାନ କରାଗଲା ନାହିଁ । ଏବେ ନିର୍ବାଚନ ପୂର୍ବରୁ ନିଶାମୁକ୍ତି କରିବାକୁ ତାହାର ଯୁବଗୋଷ୍ଠୀ ଜରିଆରେ ଅଭିଯାନ ଆରମ୍ଭ କରିବା ଏବଂ ସେଥିପାଇଁ ପ୍ରଚାର ପ୍ରସାର ଦାୟିତ୍ୱ ଲୋକସଂପର୍କ ବିଭାଗକୁ ଦେବା ପଛରେ କି ଉଦ୍ଦେଶ୍ୟ ନିହିତ ରହିଛି, ତାହା ରାଜ୍ୟବାସୀଙ୍କ ଆଗରେ ସ୍ପଷ୍ଟ କରନ୍ତୁ । ଓଡିଶା ସରକାର ଅନ୍ତତଃପକ୍ଷେ ବିହାର ଠାରୁ ଏ କ୍ଷେତ୍ରରେ କିଛି ଶିକ୍ଷାଲାଭ କରିବାକୁ ଶ୍ରୀ ନାୟକ ପରାମର୍ଶ ଦେଇଛନ୍ତି ।