ବିଶ୍ୱ ପୁରୁଷ ହକିକପ୍-୨୦୧୮ ଅବସରରେ ଜାତୀୟସ୍ତରୀୟ ଶିଳ୍ପୀ ଶିବିର ଉଦଯାପିତ

ମନୋରଞ୍ଜନ
  • 2018-10-01 20:45:45
  • 236

କାନଭାସ୍ ଓଡିଶା(ବ୍ୟୁରୋ) : ବିଶ୍ୱ ପୁରୁଷ ହକିକପ୍-୨୦୧୮ ଆୟୋଜନ ଅବସରରେ ଓଡିଶା ଖଣି ନିଗମଙ୍କ ସମ୍ପୂର୍ଣ୍ଣ ସହାୟତାରେ ଓଡିଶା ଲଳିତ କଳା ଏକାଡେମୀ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗଙ୍କ ମିଳିତ ସହଯୋଗରେ ପ୍ରଥମ ଥର ପାଇଁ ଓଡିଶା କିପରି ବିଶ୍ୱ ଖେଳ ଜଗତରେ ସୁନାମ ଅର୍ଜନ କରି ନିଜର ସ୍ଥାନ ବଜାୟ ରଖିପାରିଛି ଏବଂ କ୍ରୀଡା କିପରି ସାଧାରଣ ମାନବ ଜୀବନରେ ପ୍ରଭାବ ପକାଇଛି ସେହି ବିଷୟବସ୍ତୁ ଆଧାରରେ ୨୫ ଜଣ ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ଶିଳ୍ପୀଙ୍କୁ ନେଇ ଏକ ଶିଳ୍ପୀ ଶିବିର ସ୍ଥାନୀୟ ପାନ୍ଥନିବାସ ଠାରେ ଆୟୋଜନ କରାଯାଇଛି । ଏହା ୬ ତାରିଖ ଯାଏଁ ଚାଲିବ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଖଣି ନିଗମର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଶାନ୍ତନୁ ରଥ, ସମ୍ମାନୀତ ଅତିଥି ଭାବରେ ବିଶିଷ୍ଟ ଚିତ୍ର ଶିଳ୍ପୀ ଦୁର୍ଗା ପ୍ରସାଦ ଦାସ, ଶ୍ରୀଯୁକ୍ତ ଚନ୍ଦ୍ରମଣି ବିଶ୍ୱାଳ ଯୋଗଦେଇ ଶିଳ୍ପୀମାନଙ୍କୁ ଉତ୍ସାହିତ କରିଥିଲେ । ଏକାଡେମୀର ସଚିବ ମାନସ ରଞ୍ଜନ ଜେନା ସ୍ୱାଗତ ଭାଷଣ ଦେବା ସହିତ ଅତିଥି ପରିଚୟ ଓ ଶିବିର ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ଶିବିରରେ ସଭାମୁଖ୍ୟ ଭାବରେ ଆନ୍ତର୍ଜାତିକ ଖ୍ୟାତି ସଂପନ୍ନ ବାଲୁକା ଶିଳ୍ପୀ ତଥା ଏକାଡେମୀର ସଭାପତି ପଦ୍ମଶ୍ରୀ ଡଃ. ସୁଦର୍ଶନ ପଟ୍ଟନାୟକ ଯୋଗ ଦେଇଥିଲେ । ଏକାଡେମୀର ପ୍ରୋଗ୍ରାମ କୋଅଡିନେଟର ସୁଶାନ୍ତ କୁମାର ସ୍ୱାଇଁ ଏହି ଶିବିର ଦାୟିତ୍ୱ ତୁଲାଉଥିବା ବେଳେ ଅର୍ଥ ପରାମର୍ଶଦାତା ପ୍ରସନ୍ନ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଶିବିରରେ ଅଂଶ ଗ୍ରହଣ କରିଥିବା ଶିଳ୍ପୀମାନଙ୍କୁ ଉଦଯାପନୀ ଉତ୍ସବରେ ୫୦ ହଜାର ଟଙ୍କାର ଅର୍ଥରାଶି, ଉତ୍ତରୀୟ, ପ୍ରମାଣପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯିବ । ଶିଳ୍ପୀ ମାନେ ସାଧାରତଃ କ୍ରୀଡା ତଥା ଏହାର ପ୍ରଭାବ ବିଷୟବସ୍ତୁ ଉପରେ ଆଧାରିତ ୨ଗୋଟି ଚିତ୍ର ଅଙ୍କନ କରିବେ । ଶିବିରରେ ଅଂଶ ଗ୍ରହଣ କରିଥିବା ଶିଳ୍ପୀମାନେ ହେଲେ ସରିତା ଆଚାର୍ଯ୍ୟ, ଚିନ୍ତାମଣୀ ବିଶ୍ୱାଳ, ଆଦିତ୍ୟ ସିକ୍ରେ, ଆଶୁତୋଷ ପାତ୍ର, ବଳଦେବ ପ୍ରସାଦ ମହାରଥା, ବିଜୟାନନ୍ଦ ବିଶ୍ୱାଳ, ବିକ୍ରମ ରାଉତରାୟ, ବିରେନ୍ଦ୍ର ପାଣି, ବିଭୂଦତ୍ତ କଳାଚାନ୍ଦ ପ୍ରଧାନ, ଚକ୍ରଧର ବେହେରା, ଦିବ୍ୟସିଂହ ସ୍ୱାଇଁ, ଡୋଗଲେସ ଜନ୍, ଗଜେନ୍ଦ୍ର କୁମାର ପାଢୀ, ଗୈାରୀପ୍ରସାଦ ରାଉତ, କରୁଣାପ୍ରିୟା ପାଇ, ମନୋଜ କୁମାର ମହାନ୍ତି, ପରମେଶ୍ୱର ମେହେର, ପ୍ରିୟଦର୍ଶିନୀ ମହାନ୍ତି, ରାମ ସୁରେଶ, ସମ୍ବିତ ପଣ୍ଡା, ସଂଗ୍ରାମ ମାଝି, ସନ୍ତୋଷ କୁମାର ରାଉତରାୟ, ଶୁଭମୟ ବିଶ୍ୱାଳ, ସୁନୀଲ କୁମାର ଡାକୁଆ, ଟୁନେନ୍ଦ୍ର କୁମାର ପଟ୍ଟନାୟକ ।