ଉଭୟ ମୋଦି ଓ ନବୀନ ସରକାର ତୈଳ ଟିକସ ହ୍ରାସ କରନ୍ତୁ- ପ୍ରଦେଶ କଂଗ୍ରେସ

ତାଜା ଖବର
  • 2018-09-29 22:28:37
  • 250

କାନଭାସ୍ ଓଡିଶା(ବ୍ୟୁରୋ) : କେନ୍ଦ୍ରର ବିଜେପି ସରକାର ଏବଂ ରାଜ୍ୟର ବିଜେଡି ସରକାର ରାଜ୍ୟବାସୀଙ୍କ ପାଇଁ ଢେର କାନ୍ଦଣା କାନ୍ଦୁଛନ୍ତି । କିନ୍ତୁ କାହା ଆଖିରେ ଲୁହ ନାହିଁ । ରାଜ୍ୟବାସୀ ଉତ୍କଟ ବେକାରୀ ସମସ୍ୟା, ଦରଦାମ ବୃଦ୍ଧି, ମୈାଳିକ ସୁବିଧା ସୁଯୋଗ ନମିଳିବା, ମାତ୍ରାଧିକ ଟିକସ ବୋଝ ଭଳି ନାନା ସମସ୍ୟାକୁ ନେଇ ଜର୍ଜରିତ । କିନ୍ତୁ ଏହି ଦୁଇ ଦଳ ନାନା ଭାବରେ ରାଜ୍ୟବାସୀଙ୍କୁ କେବଳ କଥା କହି ଭୁଆଁ ବୁଲାଇ ବାଲିଛନ୍ତି । ରାଜ୍ୟରେ ପେଟ୍ରୋଲ ଦର ୮୨ ଟଙ୍କା ଏବଂ ଡିଜେଲ ଲିଟର ୮୦ ଟଙ୍କା ଅତିକ୍ରମ କରିଛି । ଏଭଳି ପରିସ୍ଥିତିରେ ରାଜ୍ୟର ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳ ଅକ୍ଟୋବର ପହିଲାରେ ରାଜଭବନ ସମ୍ମୁଖରେ ବିକ୍ଷୋଭ କରିବାକୁ ଘୋଷଣା କରିଛି । ରାଜଭବନ ସମ୍ମୁଖରେ ବିକ୍ଷୋଭ କଲେ ତୈଳଦର କମିବ ନାହିଁ, ଏକଥା ବିଜେଡି ଜାଣିଛି । ତଥାପି ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇବାକୁ ଏକ ପ୍ରକାର ନାଟକ କରୁଛି । ପେଟ୍ରୋଲ ଉପରେ ଲିଟର ପିଛା ରାଜ୍ୟ ସରକାର ୧୩ ଟଙ୍କା ୨୬ ପଇସା ଏବଂ ଡିଜେଲ ଉପରେ ଲିଟର ପିଛା ୧୨ ଟଙ୍କା ୫୦ ପଇସା ଟିକସ ଆକାରରେ ପାଉଛନ୍ତି । ସେହିଭଳି କେନ୍ଦ୍ର ସରକାର ପେଟ୍ରୋଲ ଉପରେ ୧୯ ଟଙ୍କା ୪୮ ପଇସା ଏବଂ ଡିଜେଲ ଉପରେ ଲିଟର ପିଛା ୧୫ ଟଙ୍କା ୩୩ ପଇସା ଉତ୍ପାଦନ ଶୁକ୍ଳ ଆକାରରେ ସଂଗ୍ରହ କରୁଛନ୍ତି । କେନ୍ଦ୍ରରେ ବିଜେପି ସରକାର ଏବଂ ରାଜ୍ୟରେ ବିଜେଡି ସରକାର ତୈଳ ଉପରୁ ଟିକସ ହ୍ରାସ ନକରି ଜନସାଧାରଣଙ୍କୁ ଲୁଟିବାରେ ଲାଗିଛନ୍ତି । ଅଥଚ ଲୋକ ଦେଖାଣିଆ ଭାବରେ ପରସ୍ପରକୁ ସମାଲୋଚନା କରି ଲୋକଙ୍କର ପ୍ରିୟଭାଜନ ହେବାକୁ ଚେଷ୍ଟା କରୁଛନ୍ତି । ପେଟ୍ରୋଲ, ଡିଜେଲରେ ଉଭୟ ମୋଦି-ନବୀନ ସରକାର ଲୋକଙ୍କୁ ଟିକସ ଶୋଷିବାରେ ଲାଗିଛନ୍ତି । ୨୦୧୪ରେ ଓଡିଶା ସରକାର ଭାଟ୍ ବାବଦରେ ୨୮୬୫ କୋଟି ଆଦାୟ କରିଥିବା ବେଳେ ୨୦୧୭-୧୮ରେ ତାହାର ପରିମାଣ ୧୪୦ ପ୍ରତିଶତ ବୃଦ୍ଧିପାଇ ତାହା ୬୯୦୦ କୋଟି ପହଞ୍ଚିଛି । ସେହିପରି କେନ୍ଦ୍ର ସରକାରଙ୍କ ଟିକସ ଆଦାୟ ବାବଦରେ ୨୦୧୪ ତୁଳନାରେ ୨୧୧ ପ୍ରତିଶତ ବୃଦ୍ଧି ହୋଇ ୨ ଲକ୍ଷ ୨୨ ହଜାର କୋଟି ପହଂଚିଛି । ମୋଦି ସରକାର ବିଗତ ସାଢେ ୪ ବର୍ଷରେ ୧୧ ଲକ୍ଷ କୋଟି ଟଙ୍କା ଟିକସ ଶୋଷିଥିବା ବେଳେ ନବୀନ ସରକାର ପ୍ରାୟ ୧୫ ହଜାର କୋଟି ଆଦାୟ କରିଛନ୍ତି । ଓଡିଶାବାସୀ ସେମାନଙ୍କ ଏଇ ଚାଲାକି ଜାଣିସାରିଲେଣି ବୋଲି ପ୍ରଦେଶ କଂଗ୍ରେସ ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସେପ୍ଟେମ୍ବର ୧୦ ତାରିଖ ତୈଳଦର ବୃଦ୍ଧି ପ୍ରତିବାଦରେ ବନ୍ଦ ଡାକରା ଦିଆଯାଇଥିଲା । ତାହାକୁ ରାଜ୍ୟରେ ବିଜେଡି ବ୍ୟତିତ ଅନ୍ୟ ଦଳ ଗୁଡିକ ସମର୍ଥନ କରିଥିଲେ । ଏହାକୁ ରାଜ୍ୟବାସୀଙ୍କ ପକ୍ଷରୁ ସବୁ ମହଲରୁ ଅଭୂତପୂର୍ବ ସମର୍ଥନ ମିଳିଥିଲା । ସେହି ସମୟରେ ବିଧାନସଭା ଚାଲିଥିଲା । ବିଧାୟକମାନେ ଅନ୍ତତଃ ପାଂଚଘଣ୍ଟା ପାଇଁ ଗୃହକୁ ନଯାଇ ପ୍ରତିବାଦ ଜଣାଇବାକୁ କଂଗ୍ରେସ ନିବେଦନ କରିଥିଲା । କିନ୍ତୁ ବିଜେଡି ଓ ବିଜେପି ବିଧାୟକମାନେ ଯଥାରୀତି ବିଧାନସଭା କାର୍ଯ୍ୟକ୍ରମରେ ସାମିଲ ହେଲେ । ଏଥିରେ ରାଜ୍ୟବାସୀଙ୍କ ସ୍ୱାର୍ଥରକ୍ଷା ପ୍ରତି ସେମାନଙ୍କ ମନରେ ଥିବା ତିଳେମାତ୍ର ଦରଦ ନଥିବା ସ୍ପଷ୍ଟ ହୋଇଯାଇଛି । ସେମାନେ ଭିତରେ ଭିତରେ କୋଳାକୋଳି ହୋଇ ସାଧାରଣ ଲୋକଙ୍କୁ ଲୁଟିବାରେ ଲାଗିଛନ୍ତି । ୟୁପିଏ ସମୟରେ ତୈଳ ଦର ଅଧିକ ରହିଥିଲା ବୋଲି ବିଜେପି ପକ୍ଷରୁ ଯାହା କୁହାଯାଇଛି ତାହାକୁ କଂଗ୍ରେସ ଦୃଢ ଭାବେ ଖଣ୍ଡନ କରିଛି । ଦଳ ପକ୍ଷରୁ କୁହାଯାଇଛି, ୟୁପିଏ ସରକାର ସମୟରେ ୨୦୧୪ ମେ ୧୬ ତାରିଖରେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ବ୍ୟାରେଲ ପିଛା ୧୦୭.୦୯ ଡଲାର ରହିଥିଲା । ସେତେବେଳେ ଦେଶରେ ପେଟ୍ରୋଲ ଲିଟର ୭୧ ଟଙ୍କା ୪୧ ପଇସା ଏବଂ ଡିଜେଲ ଲିଟର ପିଛା ୫୫ ଟଙ୍କା ୪୯ ପଇସା ଥିଲା । ୨୦୧୮ ସେପ୍ଟେମ୍ବର ୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ବିଜେପି ସରକାର ସମୟରେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୭୩ ଡଲାର ରହିଥିବାବେଳେ ଦେଶରେ ପେଟ୍ରୋଲ ଲିଟର ପ୍ରାୟ ୮୦ ଟଙ୍କା ଏବଂ ଡିଜେଲ ଲିଟର ୭୦ ଟଙ୍କାକୁ ବୃଦ୍ଧି ପାଇଛି । ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୩୪ ଡଲାର କମିଥିବା ସତ୍ୱେ ଦେଶରେ ୨୦୧୪ ମେ ତୁଳନାରେ ପେଟ୍ରୋଲ ଲିଟର ପ୍ରାୟ ୯ ଟଙ୍କା ଏବଂ ଡିଜେଲ ଲିଟର ପ୍ରାୟ ୧୭ ଟଙ୍କା କିଭଳି ବୃଦ୍ଧି ପାଇଛି ତାହା କଂଗ୍ରେସ ପ୍ରଶ୍ନ କରିଛି । ସେହିଭଳି ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ୪୦୦ ଟଙ୍କା ବୃଦ୍ଧି ଘଟିଛି । ୟୁପିଏ ସରକାର ସମୟରେ ଟ୍ରେନଭଡା କିଲୋମିଟର ପିଛା ୬ଟଙ୍କା ଥିବାବେଳେ ଏବେ ତାହା ସର୍ବନିମ୍ନ ୯ଟଙ୍କା ହୋଇଛି । ପ୍ଲାଟଫର୍ମ ଟିକେଟ ମୂଲ୍ୟ ୩ ଟଙ୍କାରୁ ୨୦ଟଙ୍କାକୁ ବୃଦ୍ଧିପାଇଛି । ଏହାସତ୍ୱେ ବିଜେପି ଓ ବିଜେଡି ପରସ୍ପର ଉପରେ ଦୋଷ ଲଦି କିଭଳି ଖସିଯିବାର ଅପଚେଷ୍ଟା କରୁଛନ୍ତି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି ପ୍ରଦେଶ କଂଗ୍ରେସ ପକ୍ଷରୁ କୁହାଯାଇଛି । ରାଜ୍ୟବାସୀଙ୍କ ପ୍ରତି ବାସ୍ତବରେ ଯଦି ବିଜେଡି ନେତୃବୃନ୍ଦଙ୍କର ସାମାନ୍ୟତମ ସହାନୁଭୁତି ରହିଛି, ତେବେ ସେମାନେ ରାଜ୍ୟସ୍ତରରେ ଭାଟ୍ ହ୍ରାସ କରିବା ସହିତ ରାଜରାସ୍ତାକୁ ଓହ୍ଲାଇ କେନ୍ଦ୍ରରେ ଉତ୍ପାଦନର ଶୁଳ୍କ ହ୍ରାସ ନିମନ୍ତେ କେନ୍ଦ୍ରର ବିଜେପି ସରକାର ଉପରେ ଚାପ ପକାଇବାକୁ କଂଗ୍ରେସ କହିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଟିକସ୍ ଛାଡ କରିବାକୁ ଓଡିଶା ପ୍ରଦେଶ କଂଗ୍ରେସ ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ଦାବି ଜଣାଇଛନ୍ତି ।