ଆଜି ଭାରତ ବନ୍ଦ

ଦେଶ ବିଦେଶ
  • 2018-09-27 21:35:23
  • 272

କାନଭାସ୍ ଓଡିଶା(ବ୍ୟୁରୋ) : ସର୍ବ ଭାରତୀୟ ବ୍ୟବସାୟୀ ସଂଘ (ସିଏଆଇଟି) ପକ୍ଷରୁ ଶୁକ୍ରବାର ଭାରତ ବନ୍ଦ ଡାକରା ଦିଆଯାଇଛି। ଖୁଚୁରା ବ୍ୟବସାୟ କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶ ପୁଞ୍ଜିନିବେଶ (ଏଫଡିଆଇ)କୁ ପ୍ରୋତ୍ସାହନ ଦିଆଯିବାକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି। ଏହା ସହିତ ଘରୋଇ ରିଟେଲ କମ୍ପାନୀ ଫ୍ଲିପକାର୍ଟକୁ ୱାଲମାର୍ଟ ଅଧିଗ୍ରହଣ କରିବାକୁ ମଧ୍ୟ ସଂଘ ବିରୋଧ କରିଛି। ସିଏଆଇଟିର ପଶ୍ଚିମବଙ୍ଗ ଚାପ୍ଟର ସାଧାରଣ ସମ୍ପାଦକ ରବିଶଙ୍କର ରାୟ କହିଛନ୍ତି ଯେ ପ୍ରଥମ ଥର ପାଇଁ ଦେଶର ୭କୋଟି ବ୍ୟବସାୟୀ ଏହି ବନ୍ଦ ପାଳନରେ ଅଂଶଗ୍ରହଣ କରିବେ। ସିଏଆଇଟି ଅଭିଯୋଗ କରିଛି ଯେ ମଲଟି ନ୍ୟାସନାଲ କମ୍ପାନୀଗୁଡିକୁ ଦେଶର ଖୁଚୁରା ବ୍ୟବସାୟ ଲାଗି ସୁଯୋଗ ଦିଆଯାଉଛି। ସଂଘ କହିଛି ଯେ ଖୁଚୁରା ବ୍ୟବସାୟରେ ବିଦେଶୀ ପୁଞ୍ଜିନିବେଶକୁ ସୁଯୋଗ ଦ୍ୱାରା ମଧ୍ୟମ ଓ କ୍ଷୁଦ୍ର ବ୍ୟବସାୟୀଙ୍କ ପ୍ରତି ବିପର୍ଯ୍ୟୟ ସୃଷ୍ଟି କରିବାକୁ ବସିଲାଣି। ସର୍ବଭାରତୀୟ ବ୍ୟବସାୟୀ ମହାସଂଘର ବନ୍ଦ ସହିତ ଔଷଧ ବ୍ୟବସାୟୀମାନେ ୨୪ ଘଣ୍ଟିଆ ବନ୍ଦ ପାଳନ କରୁଛନ୍ତି। ଏଥିଯୋଗୁ ଶୁକ୍ରବାର ରାଜ୍ୟର ସମସ୍ତ ଔଷଧ ଦୋକାନ ବନ୍ଦ ରହିବ। ଇ-ଫାର୍ମାସି ଓ ଅନଲାଇନରେ ଔଷଧ ବିକ୍ରିକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଥିବା ଆସୋସିଏସନ୍ ପକ୍ଷରୁ କୁହାଯାଇଛି। ଏହି ନୀତି ଯୋଗୁ ଦେଶର ୮ ଲକ୍ଷ ଏବଂ ରାଜ୍ୟର ୧୮ହଜାର ଔଷଧ ବ୍ୟବସାୟୀ କ୍ଷତିଗ୍ରସ୍ତ ହେବେ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି। ତେବେ ଏହି ଆନ୍ଦୋଳନରୁ ସରକାରୀ ଏବଂ ବେସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଔଷଧ ଦୋକାନକୁ ବାଦ୍‍ ଦିଆଯାଇଛି। ରୋଗୀଙ୍କ ପାଇଁ ଜରୁରୀକାଳୀନ ସ୍ଥିିତିରେ ଆବଶ୍ୟକ ହେଉଥିବା ଜୀବନରକ୍ଷାକାରୀ ଔଷଧକୁ ଏହି ସବୁ ଔଷଧ ଦୋକାନରେ ମହଜୁଦ ରଖିବାକୁ ନିର୍ଦେଶ ଦିଆଯାଇଥିବା ସଂଘର ସାଧାରଣ ସମ୍ପାଦକ ବନୋଜ ଜେନା କହିଛନ୍ତି।