ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ, ଏଣେ ମୁଖ୍ୟମନ୍ତ୍ରୀଙ୍କୁ ଜ୍ୱର

ତାଜା ଖବର
  • 2018-09-27 19:36:55
  • 438

କାନଭାସ୍ ଓଡିଶା(ବ୍ୟୁରୋ) : ଚଳିତ ବର୍ଷ ସ୍ୱାଧିନତା ଦିବସ ଠାରୁ ଆରମ୍ଭ ହୋଇଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସଫଳ ରୂପାୟନ ପାଇଁ ରାଜ୍ୟରେ ୧୦ଟି ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୧୦ଟି ପ୍ରଚାର ରଥର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଗଞ୍ଜାମ, ଖୋର୍ଦ୍ଧା, ସମ୍ବଲପୁର, ସୁନ୍ଦରଗଡ, କଳାହାଣ୍ଡି, ମୟୁରଭଞ୍ଜ, କେନ୍ଦୁଝର, କୋରାପୁଟ୍, କଟକ ଓ ବଲାଙ୍ଗୀର ଜିଲ୍ଲାରେ ଏହି ଯୋଜନାର ପ୍ରଚାର କରିବ । ପରବର୍ତ୍ତୀ ପର୍ଯ୍ୟାୟରେ ଅବଶିଷ୍ଟ ଜିଲ୍ଲାରେ ପ୍ରଚାର ରଥ ନିୟୋଜିତ କରାଯିବ । ଏହି ରଥ ଗୁଡିକ ଗାଁ ଗାଁ ବୁଲି ଜନସାଧାରଣଙ୍କୁ ଏହି ଯୋଜନା ବିଷୟରେ ଲୋକକଳା ମାଧ୍ୟମରେ ସଚେତନ କରିବ । ଲୋକକଳା ପ୍ରଦର୍ଶନ ନିମନ୍ତେ ଜିଲ୍ଲା, ବ୍ଲକ ଓ ସହରାଞ୍ଚଳ ଲୋକକଳା ସଂଘ ଗୁଡିକର ସଦସ୍ୟ ମାନଙ୍କୁ ନିୟୋଜିତ କରାଯାଇଛି । ଏହା ଦ୍ୱାରା ସ୍ଥାନିୟ ଲୋକକଳାର ପ୍ରଚାର ପ୍ରସାର ହେବା ସହିତ ସ୍ଥାନୀୟ ଲୋକଙ୍କ ବୋଧଗମ୍ୟ ହେବାଭଳି ଭାଷା ଓ ଅଭିନୟ ଦ୍ୱାରା ସ୍ୱାସ୍ଥ୍ୟ ଯୋଜନା ସଂପର୍କରେ ଫଳପ୍ରଦ ସଚେତନତା ସୃଷ୍ଟି ହୋଇପାରିବ । ଏହି ଯୋଜନା ଏକ ସାମୁହିକ ଯୋଜନା । ଏଥିରେ ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ସହିତ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ସ୍ୱାସ୍ଥ୍ୟ ସେବା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି । ଏହି ଯୋଜନାରେ ପ୍ରାୟ ୭୦ଲକ୍ଷ ପରିବାରଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାର ଲକ୍ଷ୍ୟ ଥିବା ବେଳେ ପ୍ରଥମ ମାସ ସୁଦ୍ଧା ୪୫ଲକ୍ଷ ହିତାଧିକାରୀଙ୍କୁ ଦେୟମୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇ ଏକ ନୂତନ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ଆରମ୍ଭ ହୋଇପାରିଛି । ଏଥିରେ ପ୍ରତ୍ୟେକ ପରିବାର ପିଛା ୫ଲକ୍ଷ ଓ ମହିଳାଙ୍କ କ୍ଷେତ୍ରରେ ୭ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସହାୟତାର ରାଶି ସୁବିଧା ରହିଛି । ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ପ୍ରତାପ ଜେନା, ସ୍ୱାସ୍ଥ୍ୟ ବିଭାଗ ସଚିବ ଏବଂ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ପ୍ରମୁଖ ଉପସ୍ଥିତ ଥିଲେ । ତେବେ ମୁଖ୍ୟମନ୍ତ୍ରୀଙ୍କ ଶରୀର ଅସୁସ୍ଥ ହୋଇ ପଡିଥିବା କାରଣରୁ ଆଗାମୀ ଦୁଇ ଦିନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମସ୍ତ କାର୍ଯ୍ୟକ୍ରମ ବାତିଲ କରାଯାଇଛି । କିନ୍ତୁ ନିଜ କାର୍ଯ୍ୟାଳୟରେ ସେ ସାଧାରଣ ଦିନ ପରି ଯୋଗ ଦେବେ । ଏକ ପ୍ରେସ୍ ବିବୃତିରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ତ୍ତମାନ ଭୂତାଣୁ ଜନିତ ଜ୍ୱର ବା ଭାଇରାଲ ଫିଭର ଓ ଥଣ୍ଡାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।