ବୈାଦ୍ଧ ଧର୍ମରେ ତନ୍ତ୍ର ଉପାସନା ପଦ୍ଧତି ଉତ୍କଳରୁ ଆରମ୍ଭ ହୋଇଥିଲା

ସାହିତ୍ୟ
  • 2018-09-26 18:28:36
  • 479

କାନଭାସ୍ ଓଡିଶା(ବ୍ୟୁରୋ) : ବିଶିଷ୍ଟ ଗବେଷକ ତଥା ଜନପ୍ରିୟ ଲେଖକ, ଗଣେଶ ପ୍ରସାଦ ପରିଜାଙ୍କ ଉନବିଂଶ ସ୍ମୃତି ଦିବସ ପରିପେକ୍ଷୀରେ ‘ଶାରଳା ସ୍ମାରକ’ ପକ୍ଷରୁ ରାଜ୍ୟ ଅଭିଲେଖାଗାର ସମ୍ମିଳନୀ କକ୍ଷଠାରେ ଆୟୋଜିତ ସ୍ମାରକୀ ବକ୍ତୃତା ପ୍ରଦାନ କରି ବିଶିଷ୍ଟ ବୈାଦ୍ଧ ଗବେଷକ ଓ ପ୍ରତ୍ନତତ୍ତ୍ୱବିତ୍ ଶ୍ରୀଯୁକ୍ତ ସୁନିଲ ପଟ୍ଟନାୟକ ‘ଓଡିଶାରେ ବୈାଦ୍ଧ ଧର୍ମ ଓ ତନ୍ତ୍ର ଉପାସନା’ ଶୀର୍ଷକ ବିଷୟ ଉପରେ କହିବାକୁ ଯାଇ କହିଥିଲେ ଯେ ବୈାଦ୍ଧ ଧର୍ମରେ ତନ୍ତ୍ର ଉପାସନା ପଦ୍ଧତି ଉତ୍କଳରୁ ଆରମ୍ଭ ହୋଇ ପରବର୍ତ୍ତୀ କାଳରେ ଭାରତର ନାଳନ୍ଦା ସମେତ ବିଭିନ୍ନ ଅଞ୍ଚଳର ବୈାଦ୍ଧ ଧର୍ମକୁ ପ୍ରଭାବିତ କରିଥିଲା । ଏପରିକି ବିଦେଶରେ ବିଶେଷକରି ତିବ୍ଦତରେ ଉତ୍କଳୀୟ ତନ୍ତ୍ର ଉପାସନାର ପ୍ରମାଣ ମିଳେ । ସେ ଭାରତର ଦୁଇଶହରୁ ଉଦ୍ଧ୍ୱର୍ ବୈାଦ୍ଧ ପୀଠର ଖନନ ସମୟରେ ନିଜେ ଉପସ୍ଥିତ ଥାଇ ଏହାର ପ୍ରମାଣ ପାଇଛନ୍ତି ବୋଲି କହିବା ସହ ଗଣେଶ ପ୍ରସାଦ ପରିଜାଙ୍କ ସୃଷ୍ଟ ସାହିତ୍ୟର ବିଭିନ୍ନ ଦିଗ ମଧ୍ୟରେ ବୈାଦ୍ଧ ଧର୍ମ ଓ ତନ୍ତ୍ର ଉପାସନା ପ୍ରମୁଖ ବିଷୟ ବୋଲି ମତପ୍ରକାଶ କରିଛନ୍ତି । ‘ଶାରଳା ସ୍ମାରକ’ ଉପ ସଭାପତି ତଥା ବିଶିଷ୍ଟ ଚିକିତ୍ସାବିଜ୍ଞାନୀ ପ୍ରଫେସର ଡା.ନିମାଇଁ ଚରଣ ପରିଜାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଂଧ୍ୟାକୁ ଶାରଳା ସ୍ମାରକର ସଭାପତି ତଥା ସୁସାହିତ୍ୟିକ ସାତକଡି ହୋତା ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ରାଜ୍ୟ ଅର୍ଥ ଓ ଅବକାରୀ ମନ୍ତ୍ରୀ ଶଶୀ ଭୂଷଣ ବେହେରା ଯୋଗ ଦେଇ ନିଜ ବକ୍ତବ୍ୟରେ ଗଣେଶ ପ୍ରସାଦ ପରିଜା ଝଙ୍କଡଠାରେ ମହାକବି ଶାରଳା ଦାସଙ୍କ ବଂଶରେ ଜନ୍ମ ଗ୍ରହଣ କରିବା ସହ ଓଡିଆ ସାହିତ୍ୟକୁ ଅନେକ ଅବଦାନ ଦେଇଛନ୍ତି ବୋଲି କହିଥିଲେ । ବିଶେଷତଃ ଜଗନ୍ନାଥ ସଂସ୍କୃତି, ଶକ୍ତି, ଉପାସନା ଓ ବୈାଦ୍ଧ ଧର୍ମ ସଂପର୍କରେ ତାଙ୍କର ପୁସ୍ତକ ଗୁଡିକ ବେଶ ଲୋକପ୍ରିୟ ବୋଲି କହି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । ସାହିତ୍ୟିକ ଡ. ସୈାରୀବନ୍ଧୁ କର ନିଜ ସ୍ମୃତି ଚାରଣରେ କହିଥିଲେ ଯେ ଗଣେଶ ପ୍ରସାଦ ପରିଜାଙ୍କ ରଚନାର ବୈଶିଷ୍ଟ୍ୟ ହେଲା ସେ ଅତ୍ୟନ୍ତ ସ୍ୱାବଲୀଳ ଓ ବୋଧଗମ୍ୟ ଭାଷା ତଥା ଶୈଳୀରେ ରଚନା କରୁଥିଲେ । ଅନେକ ସୁଲେଖକ ଅଛନ୍ତି ଓ ବହୁ ସୁବକ୍ତା ଅଛନ୍ତି । ମାତ୍ର ତାଙ୍କଠାରେ ଏହି ଦୁଇଟିର ସମନ୍ୱୟ ଦେଖିବାକୁୁ ମିଳେ, ଯାହାକି ପ୍ରାୟ ବିରଳ । କାର୍ଯ୍ୟକ୍ରମର ସଂଯୋଜକ ତଥା ଯୁବ ଭାଷାତତ୍ତ୍ୱବିତ୍ ଡ. ଦେବାଶିଷ ମହାପାତ୍ରଙ୍କ ପରିଚାଳନାରେ ଅନୁଷ୍ଠିତ ସଂଧ୍ୟାରେ ବିଶିଷ୍ଟ ଓଡିଶୀ ଗବେଷିକା ତଥା ନୃତ୍ୟାଙ୍ଗନା ଡ. ନୀତା ବହିଦାରଙ୍କୁ ତାଙ୍କର ଓଡିଶୀ ସଂପର୍କରେ ଗବେଷଣା ଓ ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶିତ ଗବେଷଣା ଭିତ୍ତିକ ସଂଦର୍ଭ ପାଇଁ ‘୩ୟ ଗଣେଶ ପରିଜା ସମ୍ମାନ’ ପ୍ରଦାନ କରାଯାଇଥିଲା । ବହୁ ବୁଦ୍ଧିଜୀବୀ ଓ ସାହିତ୍ୟିକ ଯୋଗ ଦେଇଥିବା ବେଳେ ଉକ୍ତ କାର୍ଯ୍ୟକ୍ରମରେ ଯୁବ ସାହିତ୍ୟିକ ଶତ୍ୟଜିତ୍, ସାମ୍ବାଦିକ ଅପୂର୍ବ କୁମାର ମହାନ୍ତି ପ୍ରମୁଖ ମଧ୍ୟ ବକ୍ତବ୍ୟ ରଖିଥିଲେ ।