ସମାଜ ଶତବାର୍ଷିକୀ କମିଟି ଏବଂ ସୁଭଦ୍ରା ଆର୍ଟ ଗ୍ୟାଲେରୀ ମିଳିତ ସହଯୋଗରେ ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଜୀବନୀ ଉପରେ ଚିତ୍ର କଳା ଶିବିର ଅନୁଷ୍ଠିତ

ମନୋରଞ୍ଜନ
  • 2018-09-24 09:34:22
  • 639

କାନଭାସ୍ ଓଡିଶା(ବ୍ୟୁରୋ) : ସମାଜ ଶତବାର୍ଷିକୀ କମିଟି ଏବଂ ସୁଭଦ୍ରା ଆର୍ଟ ଗ୍ୟାଲେରୀ ମିଳିତ ସହଯୋଗରେ ସ୍ଥାନୀୟ ଟଙ୍କପାଣି ରୋଡସ୍ଥିତ ସୁଭଦ୍ରା ଆର୍ଟ ଗ୍ୟାଲେରୀ ପରିସରରେ ସମାଜର ଶତବାର୍ଷିକୀ ଅବସରରେ ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଜୀବନୀ ଉପରେ ଏକ ଚିତ୍ର କଳା ଶିବିର ଅନୁଷ୍ଠିତ ହୋଇଛି । ୪ ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ସମାଜର ପରିଚାଳନା କମିଟିର ମୁଖ୍ୟ ଶ୍ରୀ ମହାନ୍ତି କହିଲେ ଯେ, ଏହି ଛବିଗୁଡିକ ପ୍ରଥମେ କଟକରେ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଓଡିଶା ସମସ୍ତ ଜିଲା ମୁଖ୍ୟାଳୟରେ ପ୍ରଦର୍ଶିତ ହେବ । ଏହାସହିତ ଶତବାର୍ଷିକୀ ପାଳନ ପରିପ୍ରେକ୍ଷୀରେ ଦିଲୀରେ ହେବାକୁ ଥିବା ଉତ୍ସବରେ ମଧ୍ୟ ପ୍ରଦର୍ଶିତ କରାଯିବ । ଅନ୍ୟତମ ଅତିଥିଭାବେ ଲଳିତ କଳା ଏକାଡେମୀର ସଚିବ ମାନଓ ରଞ୍ଜନ ଜେନା ସମାଜର ଏପରି ଉଦ୍ୟମକୁ ପ୍ରସଂଶା କରିବା ସହିତ ଗୋପବନ୍ଧୁଙ୍କୁ ଉକ୍ରଳ ମଣୀରେ ସୀମିତ ନରଖି ଭାରତରତ୍ନ ଉପାଧିରେ ସମ୍ମାନିତ କରିବା ପାଇଁ ଭାରତ ସରକାରଙ୍କୁ ସାମୁହିକଭାବେ ଦାବି ଉପସ୍ଥାପନା କରିଥିଲେ । ସୁନାମଧନ୍ୟ ସ୍ଥପତି ରବି ନାରାୟଣ ରଥ ଏହି ଉତ୍ସବରେ ଉଦ୍ବୋଧନ ଦେଇ କହିଥିଲେ ଆଗାମୀ ପିଢି କିପରି ଗୋପବନ୍ଧୁଙ୍କ ଚଲାପଥକୁ ଅନୁସରଣ କରି ସମାଜର ମଙ୍ଗଳ କାର୍ଯ୍ୟରେ ନିଜକୁ ଉତ୍ସର୍ଗୀକୃତ କରିପାରିବେ ଏହି ଚିତ୍ର ଗୁଡିତ ତାହାର ପ୍ରେରଣା ଯୋଗାଇବ । ଗ୍ୟାଲେରୀର ଅଧ୍ୟକ୍ଷ ଇଂ ସୂର୍ଯ୍ୟ ରଥ ସମାଜର ଏପରି ସହଯୋଗିତାକୁ ପ୍ରସଶା କରିବା ସହିତ ଆଗାମୀ ଦିନମାନଙ୍କରେ କଳାକାରବର୍ଗଙ୍କୁ ନେଇ ଅନେକ ଶିବିର ଏବଂ ପ୍ରଦର୍ଶନୀର ଆୟୋଜନର ଯୋଜନା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ଗ୍ୟାଲେରୀର ନିର୍ଦେଶକ ଅଶୋକ ନାୟକ ଏବଂ ମୀନକେଠନ ପଟ୍ଟନାୟକ ଉପସ୍ଥିତ ଥିଲେ । ଏହି ଚିତ୍ରକଳା ଶିବିରରେ ଓଡିଶାର ୨୫ ଶିଳ୍ପୀ ଯୋଗଦେଇ କାନଭାସ୍ ରେ ଗୋପବନ୍ଧୁଙ୍କ ଜୀବନୀ ଉପରେ ଚିତ୍ର ଆଙ୍କିବେ । ବିଶେଷ କରି ଗୋପବନ୍ଧୁଙ୍କ ବାଲ୍ୟଜୀବନଠୁ ଆରମ୍ଭକରି ସମାଜରେ କରିଥିବା ବିଭିନ୍ନ କାର୍ଯ୍ୟ ଏବଂ ସେବାକୁ କାନଭାସ୍ ରେ ସ୍ଥାନିତ କରିବେ । ଏହି ଶିଳ୍ପୀମାନଙ୍କ ମଧ୍ୟରେ ରହିଛନ୍ତି ଆଶିଷ ପାଣ୍ଡେ, ଅନିରୁଦ୍ଧ ସାହୁ, ଅନୁଷ୍କା, ବିନୋଦିନୀ ବେହେରା, ବିଭୁଦତ୍ତ ପ୍ରଧାନ, ଚିତେନ୍ଦ୍ର ଭଞ୍ଜ, ମୀନକେତନ ପଟ୍ଟନୟକ, ରାଜେନ୍ଦ୍ର ମେହେର, ଚିନ୍ତାମଣୀ ବିଶ୍ୱାଳ, ଶ୍ୟାମସୁନ୍ଦର ଆଚାର୍ଯ୍ୟ, ଶଶୀକାନ୍ତ ରାଉତ, କୃଷ୍ଣ ସେଠୀ, ସୁରେଶ୍ୱର ଧଳ, ପ୍ରୀୟଦର୍ଶିନୀ ମହାନ୍ତି, ଗୌରୀ ମହାରଣା, ମୁକ୍ତପଦ ନନ୍ଦୀ, ଶୁଭମୟ ବିଶ୍ୱାଳ, ରଘୁନାଥ ସାହୁ, ରବି ନାରାୟଣ ରଥ,ପ୍ରମୁଖ ଚିତ୍ର ଆଙ୍କିବେ । ଏହି ଚିତ୍ରଗୁଡିକ ଆସନ୍ତା ମାସ ୪ ତାରିଖରେ ହେବାକୁ ଥିବା ସମାଜର ଶତବାର୍ଷିକୀ ଉତ୍ସବରେ ପ୍ରଦର୍ଶିତ ହେବ । ଏହି ଉତ୍ସବରେ ସମସ୍ତ ଶିଳ୍ପୀମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା । ଆସନ୍ତା ୨୬ ତାରିଖରେ ଏହି ଶିବିର ଉଦଯାପିତ ହେବ ।