ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ରଙ୍କ ଗାଡିକୁ ପଥର ମାରିବା ଏବଂ କାଚ ଭାଙ୍ଗିବା ଘଟଣାକୁ ମୁଁ ନିନ୍ଦା କରୁଛି- ନିରଞ୍ଜନ ପଟ୍ଟନାୟକ

ରାଜନୀତି
  • 2018-09-18 15:05:41
  • 420

କାନଭାସ୍ ଓଡିଶା(ବ୍ୟୁରୋ) : ଭୁବନେଶ୍ୱର- ଗତ ୧୫ ତାରିଖ ଦିନ ରାତିରେ ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ରଙ୍କ ଗାଡିକୁ ପଥର ମାରିବା ଏବଂ କାଚ ଭାଙ୍ଗିବା ଘଟଣାକୁ ମୁଁ ନିନ୍ଦା କରୁଛି । ପ୍ରତିବାଦ କରିବା ଏବଂ ଦାବି ପୂରଣ ପାଇଁ କୌଣସି ପ୍ରକାରର ହିଂସାତ୍ମକ ରାସ୍ତାକୁ ଆପଣେଇବା ନୀତି ଓ ମାନସିକତାକୁ ମୁଁ ତୀବ୍ର ନିନ୍ଦା କରୁଛି । ଅନ୍ୟ ପକ୍ଷରେ ସଂପୃକ୍ତ ଅଂଚଳରେ ସୃଷ୍ଟି ହୋଇଥିବା ଗଣ୍ଡଗୋଳିଆ ପରିସ୍ଥିତି ପାଇଁ ମନ୍ତ୍ରୀ ଶ୍ରୀ ପାତ୍ର ଏବଂ ସ୍ଥାନୀୟ ପୋଲିସ ପ୍ରଶାସନକୁ ଦାୟୀ କରୁଛି । ଶାସକ ଦଳର କିଛି ନେତାଙ୍କ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ପ୍ରୋତ୍ସାହନ ଯୋଗୁଁ ସ୍ଥାନୀୟ ପୋଲିସ କିଛି ଅସାମାଜିକ ଯୁବକଙ୍କୁ ସୁରକ୍ଷା ଦେଇଥିବାର ଅଭିଯୋଗ ବାରମ୍ବାର ହୋଇ ଆସୁଛି । ଗତ ୬ ତାରିଖ ଦିନ ଘସିପୁରା ବସ୍ ଷ୍ଟାଣ୍ଡରେ ଓ ଶୈଳଙ୍ଗ ଛକରେ ଯେଉଁ ଅଭାବନୀୟ ପରିସ୍ଥିତି ଉପୁଜିଲା ଓ ୭ ଜଣଙ୍କୁ ହାଣି କ୍ଷତାକ୍ତ କରାଗଲା, ଯେଉଁମାନେ ଏବେବି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏବେ ମଧ୍ୟ ଅଭିଯୁକ୍ତମାନେ ଦିନ ଦ୍ୱିପ୍ରହରରେ ବଜାରରେ ବୁଲୁଛନ୍ତି । ତାଙ୍କ ଉପରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହଁ । ଗାଡି ଉପରେ ଆକ୍ରମଣ ପରେ ମନ୍ତ୍ରୀ ଲୋକଙ୍କ ଘେରରେ ଦୀର୍ଘ ଦେଢ଼ ଘଂଟା ଧରି ଫସି ରହିଲେ । ଘଟଣା ସ୍ଥାନ ଠାରୁ ମାତ୍ର ତିନି କିଲୋମିଟର ଦୂରରେ ପୋଲିସ ଥାନା । ଏହାକୁ ନେଇ ପ୍ରଶ୍ନ ଉଠୁଛି ଯଦି ରାଜ୍ୟରେ ଜଣେ ମନ୍ତ୍ରୀଙ୍କର ଏଭଳି ପରିସ୍ଥିତି ତାହେଲେ ସାଧାରଣ ଜଣେ ଲୋକକୁ ପୋଲିସ ସୁରକ୍ଷା ଯୋଗାଇ ଦେବାରେ କେତେ ସମର୍ଥ? ଏହିପରି କାର୍ଯ୍ୟଦ୍ୱାରା ଜନସାଧାରଣଙ୍କର ପୋଲିସ ପ୍ରତି ଆସ୍ଥା କମି ଯାଉଛି । ଫଳସ୍ୱରୂପ ଏହିଭଳି ଅଭାବନୀୟ ଏବଂ ବିଶୃଙ୍ଖଳା ସ୍ଥିତି ଉପୁଜୁଛି । ଏହା ସତ୍ୱେ ପୋଲିସ ପ୍ରଶାସନ ସ୍ଥାନୀୟ ଅଂଚଳରେ ଲୋକଙ୍କ ଯଥାର୍ଥ ଅଭିଯୋଗକୁ ଶୁଣୁନଥିବା ନେଇ ଲୋକଙ୍କ ମନରେ ଦୁଃଖ ଏବଂ କ୍ଷୋଭ ରହୁଛି । ଫଳରେ ପୋଲିସର ନିରପେକ୍ଷତା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପରି ସ୍ଥଳେ ମୋର ନିବେଦନ ପୋଲିସ ନିରପେକ୍ଷତା ଅବଲମ୍ବନ କରୁ ଓ ସମସ୍ତ ରାଜନୈତିକ ଦଳ ମଧ୍ୟରେ ସହାବସ୍ଥାନ ବଜାୟ ରଖିବା ଦିଗରେ ଯତ୍ନବାନ ହୁଅନ୍ତୁ । ତା’ହେଲେ ଯାଇ ଆନନ୍ଦପୁର ଅଂଚଳରେ ଶାନ୍ତି ପ୍ରତିଷ୍ଠା ହେବ ।