ଖବର କାଗଜରେ ମିଛ ବିଜ୍ଞାପନ

ରାଜନୀତି
  • 2018-09-18 10:54:30
  • 293

କାନଭାସ୍ ଓଡିଶା(ବ୍ୟୁରୋ) : ଭୁବନେଶ୍ୱର - କଥା ନୁହେଁ କଠିନ ପରିଶ୍ରମର ସ୍ଳୋଗାନ ଦେଉଥିବା ନବୀନ ବାବୁ ଓ ତାଙ୍କର ସରକାରକୁ ଘାରିଛି ବାହାସ୍ପୋଟର ବାହାବା ନେବାର ନିଶା । ନିର୍ବାଚନକୁ ଆଖିରେ ରଖି କୋଟି କୋଟି ଟଙ୍କା ସରକାରୀ ଅର୍ଥରେ ଚାଲିଛି ମିଥ୍ୟା ତଥ୍ୟର ବାଦଶାହୀ ବିଜ୍ଞାପନ । ରାଜ୍ୟ ସରକାର ଓ ନବୀନ ବାବୁ କିଭଳି ବିଭ୍ରାନ୍ତିକର ବିଜ୍ଞାପନ ଜରିଆରେ ରାଜ୍ୟ ଓ ରାଜ୍ୟ ବାହାରେ ନିଜକୁ ଶ୍ରେଷ୍ଠ ଭାବେ ପ୍ରତିପାଦିତ କରିବା ପାଇଁ ଅପପ୍ରୟାସ ଚଳାଇଛନ୍ତି ତା’ର ତଥ୍ୟ ପ୍ରମାଣ ପ୍ରଦେଶ କଂଗ୍ରେସ ଜନସାଧାରଣଙ୍କ ନିକଟରେ ଉପସ୍ଥାପନ କରୁଛି । ଗତ ସେପ୍ଟେମ୍ବର ୧୭ ତାରିଖ ଦିନ ସୂଚନା ଓ ଲୋକସମ୍ପର୍କ ବିଭାଗ ଓଡ଼ିଶା ସରକାରଙ୍କ ପକ୍ଷରୁ ଏକ ବ୍ୟୟ ବହୁଳ ରଙ୍ଗୀନ ବିଜ୍ଞାପନ ଓଡ଼ିଆ ଓ ଇଂରାଜୀର ପ୍ରମୁଖ ଦୈନିକ ଖବରକାଗଜର ପ୍ରଥମ ପୃଷ୍ଠାରେ ପ୍ରକାଶ କରାଯାଇଛି । ସମ୍ପୃକ୍ତ ବିଜ୍ଞାପନରେ ନବୀନ ବାବୁଙ୍କ ପକ୍ଷରୁ ଦାବୀ କରାଯାଇଛି ଯେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଗ୍ରାମ୍ୟ ରାସ୍ତା ନିର୍ମାଣରେ ଓଡ଼ିଶା ସାରା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି । ଓଡ଼ିଶା ଶୀର୍ଷରେ ବୋଲି କହିବାକୁ ଯାଇ ସମ୍ପୃକ୍ତ ବିଜ୍ଞାପନରେ ବର୍ଷ ୨୦୧୭-୧୮ରେ ଓଡ଼ିଶା ମୋଟ ୭୧୭୬ କିଲୋମିଟର ଗ୍ରାମ୍ୟ ରାସ୍ତା ନିର୍ମାଣ କରି ନିକଟତମ ପ୍ରତିଦ୍ୱନ୍ଦୀ ରାଜ୍ୟ ବିହାର ଓ ମଧ୍ୟପ୍ରଦେଶକୁ ପଛରେ ପକାଇ ଦେଇଛି । ଏ ହେଲା ବିଜ୍ଞାପନରେ ନବୀନଙ୍କ ବାହାଦୁରୀର ଗାଥା । ଅସଲରେ ନବୀନ ବାବୁ ସମ୍ପୁର୍ଣ୍ଣ ଭାବେ ମିଥ୍ୟା ତଥ୍ୟ ଦେଇଛନ୍ତି । ଚଳିତ ବିଧାନସଭା ଅଧିବେଶନରେ ଏକ ପ୍ରଶ୍ନର ଉତରରେ ଖୋଦ ବିଭାଗୀୟ ମନ୍ତ୍ରୀ ବିକ୍ରମ ଆରୁଖ ଗୃହକୁ ତଥ୍ୟ ଦେଇଛନ୍ତି ଯେ ବର୍ଷ ୨୦୧୭-୧୮ ରେ ପିଏମଜିଏସୱାଇରେ ରାଜ୍ୟ ସରକାର ମୋଟ ୧୫୮୧ଟି ରାସ୍ତା କାମରେ ସର୍ବମୋଟ ୫୩୭୨.୧୯ କିଲୋମିଟର ରାସ୍ତା ନିର୍ମାଣ କରିଛନ୍ତି । ଏଥି ମଧ୍ୟରେ ୫୨ଟି ପୋଲ କାମ ମଧ୍ୟ ରହିଛି । ଅର୍ଥାତ ନବୀନ ବାବୁ ବିଜ୍ଞାପନରେ ବାହାଦୁରୀ ନେବାପାଇଁ ପ୍ରାୟ ୨୦୦୦ କିଲୋମିଟର ଅଧିକ ରାସ୍ତା ନିର୍ମାଣର ମିଥ୍ୟା ତଥ୍ୟ ଦେଇଛନ୍ତି । କଂଗ୍ରେସ ପକ୍ଷରୁ ନବୀନଙ୍କୁ ପରାମର୍ଶ ସରକାରୀ ଅର୍ଥରେ ବାହାବା ନେବା ବନ୍ଦ କରନ୍ତୁ ଏବଂ ଦେଶରେ ସବୁଠୁ ଅଧିକ ମିଛ କହୁଥିବା ମୁଖ୍ୟମନ୍ତ୍ରୀ ଭାବେ ରେକର୍ଡ କରିବା ନିଶାରୁ ନିବୃତ ରୁହନ୍ତୁ ବୋଲି ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।