ରାଜ୍ୟ ପାଲାଗାୟକ ପରିଷଦ ପକ୍ଷରୁ ରାଜ୍ୟ ସରକାରଙ୍କଠାରେ ଦଶଦଫା ସମ୍ବଳିତ ଦାବିପତ୍ର ଉପସ୍ଥାପିତ

ସଂସ୍କୃତି
  • 2018-09-12 21:35:24
  • 410

କାନଭାସ୍ ଓଡିଶା(ବ୍ୟୁରୋ) : ରାଜ୍ୟ ପାଲାଗାୟକ ପରିଷଦ ପକ୍ଷରୁ ପ୍ରତି ପଞ୍ଚାୟତରେ ଲୋକକଳା ମଣ୍ଡପ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି । ଓଡିଶା ସଂସ୍କୃତି ଇତିହାସରେ ନିଜସ୍ୱ କଳା ‘ପାଲା’ ଓ ତାର କଳାକାର ମାନଙ୍କର ଅବଦାନ ଅବିସ୍ମରଣୀୟ । ଏକ କୁସଂସ୍କାର ମୁକ୍ତ ସମାଜ ଗଠନ କରିବା ପାଇଁ ଆଧ୍ୟାତ୍ମିକ, ନୈତିକ, ସାମାଜିକ ଓ ରଷ୍ଟ୍ରୀୟ ଚେତନା ଜାଗ୍ରତ କରି ସମସ୍ତ ସରକାରୀ ଜନକଲ୍ୟାଣ କାର‌୍ୟ୍ୟକ୍ରମକୁ ଲୋକାଭି ମୁଖୀ କରିବାର ଗୁରୁ ଦାୟିତ୍ୱ କଳାକାରମାନେ ନିର୍ବାହ କରିଥାନ୍ତି । ପାଲା କଳାକୁ ବ୍ରତ ଭାବରେ ସ୍ୱୀକାର କରିଥିବା ରାଜ୍ୟର ତିନି ହଜାରରୁ ଉଦ୍ଧ୍ୱର୍ ପାଲା କଳାକାରଙ୍କର ଏକମାତ୍ର ପଞ୍ଜୀକୃତ ଅନୁଷ୍ଠାନ ଶ୍ରୀ ନୀଳାଚଳ ନିଖିଳୋତ୍କଳ ପାଲା ଗାୟକ ପରିଷଦ ଦୀର୍ଘ ୪୩ବର୍ଷ ଧରି ଓଡିଶାର ସାଂସ୍କୃତିକ ବିକାଶ ଓ ପ୍ରଚାର ପାଇଁ ଅଗ୍ରଣୀ ଭୂମିକା ଗ୍ରହଣ କରିଆସୁଥିଲେ ହେଁ ଦୁର୍ଭାଗ୍ୟର କଥା ଏ କ୍ଷେତ୍ରରେ ଯେତିକି ସରକାରୀ ପ୍ରୋତ୍ସାହନ ଓ ସହାୟତା ମିଳିବା କଥା, ତାହା ଏଯାବତ୍ ମିଳିନାହିଁ । ଯାହା ମିଳିଛି ତାହା ସମୁଦ୍ରକୁ ଶଂଖେ ବୋଲି ପ୍ରକାଶ କରି ରାଜ୍ୟ ପାଲାଗାୟକ ପରିଷଦ ପକ୍ଷରୁ ଭୁବନେଶ୍ୱର ୟୁନିଟ୍-୬ ସ୍ଥିତ ନେହେରୁ ଯୁବ କେନ୍ଦ୍ରଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉକ୍ତ ସଂଗଠନର ସଭାପତି ମଦନମୋହନ ଜେନା ଏକ ପ୍ରେସ୍ ଇସ୍ତାହାରରେ ରାଜ୍ୟ ସରକାରଙ୍କଠାରେ ଦଶଦଫା ସମ୍ବଳିତ ଦାବିପତ୍ର ଉପସ୍ଥାପିତ କରିଛନ୍ତି । ପରିଷଦର ନିର୍ଦେଶକ, ସଂସ୍କୃତିପ୍ରେମୀ ଅମୀୟ କୁମାର ପଟ୍ଟନାୟକ ‘ପାଲାକଳା’ର ସୁରକ୍ଷା ଓ ପାଲାକାରମାନଙ୍କ ସର୍ବନିମ୍ନ ମାସିକ ଭତ୍ତା ତିନିହଜାର ଟଙ୍କାକୁ ବୃଦ୍ଧି କରିବା ପାଇଁ ଦାବୀ କରିଛନ୍ତି । ପରିଷଦର ଦାବୀ ଗୁଡିକ ହେଲା... ୧.ପାଲା ପ୍ରଶିକ୍ଷଣ, ଗବେଶଣା ଓ ରାଜ୍ୟ ପାଲାଗାୟକ ପରିଷଦର ସ୍ଥାୟୀ କାର୍ଯ୍ୟାଳୟ ନିମନ୍ତେ ରାଜଧାନୀରେ ଅନ୍ୟୁନ ଏ ୦.୫୦୦ ଡି. ଗୃହପୋଯୋଗୀ ଜମି ଦେବା ସହିତ ଉକ୍ତ ଗୃହ ନିର୍ମାଣ ସଂପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଅସ୍ଥାୟୀ କାର୍ଯ୍ୟାଳୟ ନିମନ୍ତେ ଏକ ସରକାରୀ କ୍ୱାଟର ବ୍ୟବସ୍ଥା କରିବା । ୨.ପ୍ରତି ବ୍ଲକରେ ଲୋକକଳା ମଣ୍ଡପ ନିର୍ମାଣ ଓ ପ୍ରତିବର୍ଷ ସାଂସ୍କୃତିକ ସପ୍ତାହ ପାଳନ ୩.ପାଲା କଳାକାର ମାନଙ୍କର ମାସିକ ଭତ୍ତା ଟ୩୦୦୦/- କୁ ବୃଦ୍ଧି କରିବା ୪.ଅବକ୍ଷୟମୁଖୀ ପୁରାତନ ପାଲାଅନୁଷ୍ଠାନ ଗୁଡିକର ପୁନରୁଦ୍ଧାର ପାଇଁ ସରକାରୀ ପ୍ରୋତ୍ସାହନ ପ୍ରଦାନ ୫.ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ସ୍ୱତନ୍ତ୍ର ଭାବରେ ପାଞ୍ଚଦିନିଆ ପାଲା ମହୋତ୍ସବ ଆୟୋଜନ କରିବା । ୬.କୋଣାର୍କ ନୃତ୍ୟ, ସଂଗୀତ ଓତ୍ସବପରି ସମସ୍ତ ସରକାରୀ ମହୋତ୍ସବ ମାନଙ୍କରେ ପାଲା ପରିବେଷଣକୁ ଅଗ୍ରାଧିକାର ପ୍ରଦାନ ଦେବା । ୭.ଗାୟକ ପରିଷଦର ବାର୍ଷିକ ସମ୍ମିଳନୀ ପାଇଁ ଅନ୍ୟୁନ ୩ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରିବା । ୮.ସଂସ୍କୃତି ବିଶ୍ୱବିଦ୍ୟାଳୟରେ ପାଲା ପାଇଁ ଏକ ସ୍ୱତନ୍ତ୍ର ବିଭାଗ ଖୋଲିବା । ୯.ସେବା କ୍ଷେତ୍ରରେ ଥିବା ପାଲା କଳାକାରମାନଙ୍କୁ କ୍ରିଡାବିତ୍ ମାନଙ୍କ ପରି ସ୍ୱତନ୍ତ୍ର ଛୁଟି ପ୍ରଦାନ କରିବା ସହିତ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ସାମିଲ୍ କରିବା । ୧୦.କଳା ସଂସ୍କୃତି ସଂଘ ଅନ୍ତର୍ଭୁକ୍ତ ପାଲା କଳାକାରମାନଙ୍କୁ ପ୍ରତି ପ୍ରୋଗ୍ରାମ ପାଇଁ ଅନ୍ୟୁନ ଟ.୫୦୦୦/- ଟଙ୍କା ପାରିଶ୍ରମିକ ପ୍ରଦାନ କରିବା ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପରିଷଦର ସାଧାରଣ ସଂପାଦକ ପ୍ରଫୁଲ୍ଲ କୁମାର ଦାଶ, ପୂର୍ବତନ ସାଧାରଣ ସଂପାଦକ ସୁଦର୍ଶନ ମହାପାତ୍ର, ପାଲା କଲ୍ୟାଣ ପାଣ୍ଠି ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ଛୋଟରାୟ ପ୍ରମୁଖ ଉପସ୍ଥିତ ଥିଲେ ।