ନିର୍ବାଚନ ଯେତିକି ପାଖେଇ ଆସୁଛି ସରକାର ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାଜ୍ୟବାସୀଙ୍କୁ ଶିଳ୍ପାୟନ ଚକ୍ମା ଦେଖାଇ ବିଭାନ୍ତ କରୁଛନ୍ତି ।

ରାଜନୀତି
  • 2018-09-12 17:03:18
  • 427

କାନଭାସ୍ ଓଡିଶା(ବ୍ୟୁରୋ) : ଭୁବନେଶ୍ୱର. ରାଜ୍ୟ ସରକାର ଦିଲ୍ଲୀରେ ମେକ୍ ଇନ୍ ଓଡିଶା ପାଇଁ ପୁଞ୍ଜି ନିବେଶକାରୀମାନଙ୍କୁ ଆକୃଷ୍ଟ କରିବା ଲାଗି କରିଥିବା ରୋଡ୍ ସୋ କାର୍ଯ୍ୟକ୍ରମ ସଂପୂର୍ଣ୍ଣ ଭାବେ ଲୋକ ଦେଖାଣିଆ ଓ ପ୍ରଚାର ସର୍ବସ୍ୱ କାର୍ଯ୍ୟକ୍ରମ । ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାଜ୍ୟ ସରକାର ପ୍ରସାଶନରେ ହୋଇଥିବା ପ୍ରତ୍ୟେକ କ୍ଷେତ୍ରରେ ନିଜସ୍ୱ ବିଫଳତାକୁ ଲୁଚାଇବା ପାଇଁ ଏଭଳି କାର୍ଯ୍ୟକ୍ରମମାନ କରୁଛନ୍ତି ବୋଲି ପ୍ରଦେଶ କଂଗ୍ରେସ କମିଟି ତରଫରୁ ସମାଲୋଚନା କରାଯାଇଛି । ବିଗତ ୧୮ ବର୍ଷ ଭିତରେ ଶିଳ୍ପାୟନ କ୍ଷେତ୍ରରେ ରାଜ୍ୟ ସରକାର ସଂପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି । ଭିତିଭୂମିର ବିକାଶ ଠାରୁ ଆରମ୍ଭ କରି ଶିଳ୍ପ ପ୍ରତିଷ୍ଠା, ମାନବସମ୍ବଳ ବିକାଶ ଓ କର୍ମନିଯୁକ୍ତି କ୍ଷେତ୍ରରେ ସରକାରଙ୍କ ଭୂମିକା ଅତ୍ୟନ୍ତ ନିରୁତ୍ସାହଜନକ । ପୁଞ୍ଜିନିବେଶ ପରିପ୍ରେକ୍ଷୀରେ ପ୍ରଦେଶ କଂଗ୍ରେସ ସରକାରଙ୍କ ଶିଳ୍ପାୟନ କ୍ଷେତ୍ରରେ ବହୁତ ବିଫଳତାର ଚିଠା ପ୍ରକାଶ କରିବା ସହିତ ମ୍ୟୁଖମନ୍ତ୍ରୀ ଦିଲ୍ଲୀରେ ନୁହେଁ, ଓଡିଶାରେ ଜବାବ ରଖନ୍ତୁ ବୋଲି ଦାବି କରିଛି । ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଦୃଷ୍ଟିରୁ ରାଜ୍ୟରେ କେଉଁ କେଉଁ ସାମଗ୍ରୀର ବହୁତ ବ୍ୟବହାର ହେଉଛି ଏବଂ ରାଜ୍ୟରେ କେଉଁ କେଉଁ ଶିଳ୍ପ ପ୍ରତିଷ୍ଠାନର ସୁଯୋଗ ଏବଂ ସମ୍ଭାବନା ରହିଛି ଏ ସଂପର୍କରେ ସରକାରଙ୍କ ପାଖରେ କୌଣସି ତଥ୍ୟ ଉପଲବ୍ଧ ନାହିଁ । ଅର୍ଥାତ୍ ଦିଲ୍ଲୀରେ ସୋ କରୁଛନ୍ତି କିନ୍ତୁ ସରକାରଙ୍କୁ ଜଣାନାହିଁ ଓଡିଶାରେ କେଉଁ ଶିଳ୍ପ ପ୍ରତିଷ୍ଠା କରାଯିବା ପାଇଁ ଯଥେଷ୍ଟ ଭିତିଭୂମି ରହିଛି । ଶାସନକୁ ଆସିବା ଠାରୁ ସରକାର ହଜାର ହଜାର ଶିଳ୍ପ ପ୍ରତିଷ୍ଠାର ବାହାବା ନେଉଛନ୍ତି କିନ୍ତୁ ସରକାରୀ ତଥ୍ୟ କହୁଛି ୨୦୧୪ ସୁଦ୍ଧା ପଞ୍ଜିକୃତ ହୋଇଥିବା ଶିଳ୍ପସଂସ୍ଥା ମଧ୍ୟରୁ ୧୫୩୧୫ଟି ଶିଳ୍ପସଂସ୍ଥା ବନ୍ଦ ହୋଇ ପଡିଛି । ନୂଆ ନିଯୁକ୍ତି ତ ଦୂରର କଥା, ୧୨୯୯୫୦ ଜଣ କର୍ମଚାରୀ ଚାକିରି ହରାଇଛନ୍ତି । ୨୦୧୮ ଜୁଲାଇ ସୁଦ୍ଧା ପ୍ରାୟ ୩ ଲକ୍ଷ ଲୋକ ଚାକିରି ହରାଇଛନ୍ତି । ପୁଞ୍ଜି ନିବେଶକୁ ଆକୃଷ୍ଟ କରିବା ପାଇଁ ସରକାର ବହୁଳ ଭାବେ ପ୍ରଚାର ପ୍ରସାର ନାଟକ କଲେ । ୨୦୧୦-୧୭ ଭିତରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଓ ସଚିବଙ୍କୁ ମିଶାଇ ୫୨ ଜଣ ୧୦ଟି ଦେଶକୁ ଗସ୍ତ କରିଛନ୍ତି । କିନ୍ତୁ ଫଳାଫଳ ଶୂନ ରହିଛି । ଏପରିକି ରାଜ୍ୟରେ ୧ ଟଙ୍କାର ପୁଞ୍ଜିନିବେଶର ସୁଯୋଗ ମଧ୍ୟ ସୃଷ୍ଟି ହୋଇନାହିଁ । ଦୁଇ ବର୍ଷ ତଳେ ୨୦୧୬ ମସିହାରେ ରାଜ୍ୟ ସରକାର ଅନୁରୂପ ଭାବେ ଆଉ ଏକ ଡ୍ରାମା କରିଥିଲେ ଦିଲ୍ଲୀରେ । ୩୦ଟି ଦେଶର ରାଷ୍ଟ୍ରଦୂତମାନଙ୍କୁ ଆମନ୍ତ୍ରଣ କରାଯାଇଥିଲା । ଏହି ରାଷ୍ଟ୍ରଦୂତମାନଙ୍କ ବୈଠକ ୧୭ ଅକ୍ଟୋବର ୨୦୧୬ ରେ ଦିଲ୍ଲୀ ଠାରେ ହୋଇଥିଲା । ଏ ପ୍ରସଙ୍ଗରେ ସରକାର ନିଜେ ସ୍ୱୀକାର କରିଛନ୍ତି ଏହି ବୈଠକରେ ଗୋଟିଏ ହେଲେ ରାଷ୍ଟ୍ର ପୁଞ୍ଜିନିବେଶ କରିନାହାନ୍ତି । ପରବର୍ତୀ ସମୟରେ ରାଜ୍ୟ ସରକାରଙ୍କ ପ୍ରଶାସନ ମଧ୍ୟ ପୁଞ୍ଜି ନିବେଶକାରୀ ରାଷ୍ଟ୍ରମାନଙ୍କ ସହିତ କୌଣସି ବାର୍ତାଳାପ କରିନାହାନ୍ତି । ଏହା ରାଜ୍ୟ ସରକାରଙ୍କ ଖାମଖାଆଲି ଢଙ୍ଗ ନୁହେଁ ତ ଆଉ କ’ଣ? ଉଦାହରଣ ସ୍ୱରୂପ - ୧୮ ଜୁଲାଇ ୨୦୧୪ ମସିହାରେ ଆମେରିକାର ଏକ ହେଲିକପ୍ଟର କମ୍ପାନୀ ମେସର୍ସ ଆଲକର ମୁଖ୍ୟମନ୍ତ୍ରୀଙ୍କୁ ଓଡିଶାରେ ହେଲିକପ୍ଟର ଯନ୍ତ୍ରାଂଶ ନିର୍ମାଣ କରିବା ପାଇଁ ଚିଠି ଲେଖିଥିଲେ । ସଂପୃକ୍ତ କମ୍ପାନୀ ବାରମ୍ବାର ଯୋଗାଯୋଗ କରିବା ସତ୍ୱେ ପ୍ରାୟ ଦେଢ ବର୍ଷ ପରେ ସରକାର ଚିଠିର ଉତର ଦେବା ପୂର୍ବକ କମ୍ପାନୀର ପ୍ରସ୍ତାବ ହସ୍ତଗତ ହୋଇଛି ବୋଲି ଚିଠିର ଜବାବ ଦେଲେ । ୨୦୧୫ ନଭେମ୍ବର ପରେ ପରେ ସରକାର ଉକ୍ତ କମ୍ପାନୀ ସହ କୌଣସି ସଂପର୍କ ରକ୍ଷା କଲେ ନାହିଁ । ସରକାର ମାନବ ସମ୍ବଳ ଭିତିଭୂମିର ବିକାଶ, ବୈଷୟିକ ଶିକ୍ଷା ଓ ଦକ୍ଷତାର ବିକାଶ କ୍ଷେତ୍ରରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ରାଜ୍ୟର ସରକାରୀ ବୈଷୟିକ ବିଶ୍ୱ ବିଦ୍ୟାଳୟ ଅଧିନରେ ଥିବା ବିଭିନ୍ନ କଲେଜଗୁଡିକର ମଞ୍ଜୁରୀ ପ୍ରାପ୍ତ ପଦବୀ ଯଥା ପ୍ରାଧ୍ୟାପକ, ସହଯୋଗୀ ପ୍ରାଧ୍ୟାପକ ଏବଂ ସହକାରୀ ପ୍ରାଧ୍ୟାପକ ପଦବୀ ମଧ୍ୟରୁ ୫୦ ଶତାଂଶ ଖାଲି ପଡିଛି । ଏପରିକି ୨୦୦୧-୧୭ ଭିତରେ ଲ୍ୟାଣ୍ଡ ବ୍ୟାଙ୍କ ଜରିଆରେ ଜମି ଅଧିଗ୍ରହଣ ସରକାର କରିପାରିଲେ ନାହିଁ । ଫଳରେ ଶିଳ୍ପାୟନ ଏକ ଅନ୍ଧାରୀ ମୂଲକ ଆଡକୁ ମୁହାଁଇଛି । ସରକାରଙ୍କ ଯୁବନୀତି ୨୦୧୩ ଅନୁସାରେ ସୃଜନଶୀଳ ଯୁବକଙ୍କୁ ନେଇ ଉଦ୍ୟୋଗ ସୃଷ୍ଟି କରିବା ଲକ୍ଷ୍ୟରେ “ଓଡିଶା ଯୁବ ନବ ପ୍ରବର୍ତନ ପାଣ୍ଠି” ତିଆରି କରାଗଲା । କିନ୍ତୁ ଦୁଃଖର ବିଷୟ ସରକାର ଗୃହରେ ସ୍ୱୀକାର କରିଛନ୍ତି କୌଣସି ଯୁବକଙ୍କୁ ଚିହ୍ନଟ କରାଯାଇ ଏ ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯାଇନାହିଁ । ରାଜ୍ୟ ସରକାର ସବୁ କ୍ଷେତ୍ରରେ ବିଫଳ ହେବା ପରେ ପ୍ରଚାର ପ୍ରସାର ପାଇଁ ପୁଞ୍ଜିନିବେଶକାରୀ ରୋଡ୍ ସୋ ଦିଲ୍ଲୀ ଠାରେ ଆୟୋଜନ କରିଛନ୍ତି । ନିର୍ବାଚନ ଯେତିକି ପାଖେଇ ଆସୁଛି ସରକାର ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାଜ୍ୟବାସୀଙ୍କୁ ଶିଳ୍ପାୟନ ଚକ୍ମା ଦେଖାଇ ବିଭାନ୍ତ କରୁଛନ୍ତି । ରାଜ୍ୟ ସରକାର ଶିଳ୍ପାୟନକୁ ନେଇ ଓଡିଶାରେ ଫ୍ଲପ ହୋଇଥିବା ବେଳେ ଦିଲ୍ଲୀରେ ରୋଡ୍ ସୋ ନକରି ଓଡିଶାବାସୀଙ୍କ ପାଖରେ ଜବାବ ରଖନ୍ତୁ ବୋଲି ପ୍ରଦେଶ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦକ ସମ୍ମିଳନୀରେ ଦାବି କରାଯାଇଛି । ଏହି ସମ୍ମିଳନୀରେ ରବିନ୍ଦ୍ର ଆଚାର୍ଯ୍ୟ ଓ ନରେଶ ମହାନ୍ତି ଉପସ୍ଥିତ ଥିଲେ ।